ଚୀନକୁ ଭାରତର ଚେତାବନୀ, ନିଜ ସେନାକୁ ନିୟନ୍ତ୍ରଣରେ ରଖ, ନଚେତ୍…
2/09/2020 at 3:49 PM

ନୂଆଦିଲ୍ଲୀ ୦୨।୦୯: ପାଙ୍ଗଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଚୀନ ସେନାର ହୀନଉଦ୍ୟମକୁ ଭାରତୀୟ ସେନା ମୁହଁତୋଡ ଜବାବ ଦେବା ପରେ ଏବେ ଭାରତ ଡ୍ରାଗନକୁ ନିଜ ନିୟନ୍ତ୍ରଣରେ ରହିବାକୁ ଚେତାବନୀ ଦେଇଛି। ଭାରତ ସ୍ପଷ୍ଟ ଶବ୍ଦରେ କହିଛି ସେ ନିଜର ଆଗ ଧାଡିର ସୈନିକଙ୍କୁ ଅନୁଶାସନ ଓ ନିୟନ୍ତ୍ରଣରେ ରଖୁ।
ଚୀନର ଚାଲ୍ ପରେ ଭାରତ ସୀମାରେ ଆହୁରି ସତର୍କ ହୋଇ ଉଠିଛି। ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ ଏମ ନରଭଣେ ଆଜି ଆରମ୍ଭ ହେଉଥିବା ମିଆଁମାର ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ବିଜ୍ଞପ୍ତିରେ କହିଛି ସ୍ଵତନ୍ତ୍ର ପ୍ରତିନିଧିଙ୍କ ସହିତ ଆଲୋଚନାରେ ସେନାକୁ ବିବାଦୀୟ ଅଞ୍ଚଳରୂ ହଟାଇବା ଉପରେ ହୋଇଥିବା ସହମତିକୁ ଚୀନ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ବୟାନରେ କୁହାଯାଇଛି ଚୀନ କେବଳ ଶନିବାର ରାତିରେ ସୀମାରେ ଉତ୍ତେଜନା ବଢାଇବା କାମ କରିଛି।ଟ
ବୈଦେଶିକ ମନ୍ତ୍ରଣାଳୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵେଙ୍ଗ ଓ୍ଵିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସହମତି ପ୍ରକାଶ ପାଇଥିଲା ଯେ ଆପୋଷ ଆଲୋଚନା ଜରିଆରେ ବିବାଦର ସମାଧାନ କରାଯିବ।
ସରକାର ମାନିଛନ୍ତି ଯେ ଚୀନ ବାସ୍ତବରେ ଏହି ପ୍ରସଙ୍ଗର ସମାଧାନ ଚାହୁଁ ନାହିଁ ଏବଂ ସୁନିୟୋଜିତ ଭାବେ ଏଲଏସିର ପଶ୍ଚିମ ଅଞ୍ଚଳ ଉପରେ ଲୋଲୁପ ଦୃଷ୍ଟି ପକାଇଛି। ତେଣୁ ଉଭୟ ଦେଶ ମଧ୍ୟରେ ଆଲୋଚନା ମୁସ୍କିଲ ହୋଇ ପଡିଛି। ପାଙ୍ଗଙ୍ଗ ସୋର ଦକ୍ଷିଣ କୂଳରେ ନିକଟରେ ହୋଇଥିବା ସଂଘର୍ଷରେ ନିର୍ବାସିତ ତିବ୍ବତି ଫୋର୍ସଦ ‘ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ’ରେ ଚୀନ ପକ୍ଷକୁ ଜୋରଦାର ଝଟକା ଲାଗିଛି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୯-୩୦ ରାତିରେ ଚୀନ ସୈନିକ ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ କୂଳରେ ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିଥିଲା। ଯାହାର ଜବାବ ଦେଇ ଭାରତୀୟ ଯବାନ ପିଏଲଏକୁ ଘଉଡାଇ ଦେଇଥିଲେ। କେବଳ ଏତିକି ନୁହେଁ ଭାରତୀୟ ଯବାନ ହ୍ରଦର ଦକ୍ଷିଣ କୂଳରେ ଥିବା ପର୍ବତ ଶିଖର ବ୍ଲାକଟପକୁ ଚୀନଠୁ ଛଡାଇ ଆଣିଛି। ଏହି ପର୍ବତ ଶିଖରରେ ଅତ୍ୟାଧୁନିକ ସର୍ବେକ୍ଷଣ ଯନ୍ତ୍ରାଂଶ ଯଥା କ୍ୟାମେରା, ସେନସର ଆଦି ଖଞ୍ଜି ଭାରତୀୟ ଯବାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଚୀନ ଯେଉଁ ପଦକ୍ଷେପ ନେଇଥିଲା ତାହା ଫସର ଫାଟି ଯାଇଛି। ଭାରତୀୟ ଯବାନ ବ୍ଲାକଟପ୍କୁ ନିଜ କବ୍ଜାକୁ ଆଣିଛି ଏବଂ ଚୀନର କ୍ୟାମେରା, ସେନସର ଆଦି ନଷ୍ଟ କରି ଦେଇଛି।