ଗିରଫ କରିଥିବା ପାଇଲଟକୁ ଫେରାଓ ନହେଲେ ପରିଣାମ ଭୋଗିବ ବୋଲି ପାକିସ୍ତାନକୁ ଭାରତର ଚେତାବନୀ, ପାକିସ୍ତାନ କହିଲା ଛାଡିବୁ କିନ୍ତୁ ଗୋଟିଏ ସର୍ତ୍ତରେ
28/02/2019 at 4:32 PM

ନୂଆଦିଲ୍ଲୀ୨୮|୧: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନାରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଆଜି ସୀମାରେ ଉଭୟ ପଟୁ ଗୁଳି ବର୍ଷଣ ଚାଲିଥିବା ବେଳେ ଦୁଇ ଦେଶ ମଧ୍ୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଚାଲିଛି ବୟାନ ବାଜି। ଅଭିନନ୍ଦନଙ୍କୁ ଫେରାଇ ଦେବାକୁ ପାକିସ୍ତାନ ମଧ୍ୟ ସହମତ ହୋଇଛି କିନ୍ତୁ ଏଥିପାଇଁ ଶାନ୍ତିର ସର୍ତ୍ତ ରଖିଛି। ସେପଟେ ଭାରତ କହିଛି କାନ୍ଦାହାର ଭଳି କୌଣସି ପ୍ରକାର ଡିଲ୍ କରାଯିବ ନାହିଁ। ….
ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ଛାଡ଼ । ଅଭିନନ୍ଦନଙ୍କର କିଛି ବି ହେଲେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ ନେବ। ପାକିସ୍ତାନ କବଜାରେ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଫେରାଇ ଦେବା ଲାଗି ଆଜି ପାକିସ୍ତାନକୁ ସିଧା ଚେତାବନୀ ଦେଇଛି ଭାରତ । ଆଜି ସକାଳେ ତିନି ସେନା ମୁଖ୍ୟଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ବସିଥିଲା । ବଦଳୁଥିବା ପରିସ୍ଥିତିରେ ଭାରତର ଆଭିମୁଖ୍ୟ କଣ ରହିବ ସେନେଇ ଆଲୋଚନା ହୋଇଥିଲା। ଆଉ ସଂଧ୍ୟା ୫ଟାରେ ତିନି ସେନାର ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଆଉ ଏଥିରେ ସିଧାଭାଷାରେ ଶୁଣାଇଦେଇଥିଲା ସେନା କରାରା ଜବାବ ମିଲେଗା।
ଏହା ପୂର୍ବରୁ ଅବଶ୍ୟ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି ପୁଣି ଶାନ୍ତିର କଥା କହିଥିଲେ । କହିବା ବାହୁଲ୍ୟ ଏହା ପାକିସ୍ତାନର ଆଉ ଏକ ଚାଲ୍। କାରଣ ବାରମ୍ବାର ଧୋକାବାଜି କରିଆସିଛି ପାକିସ୍ତାନ। କ୍ୟୁରେସି କହିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେବାକୁ ପ୍ରସ୍ତୁତ । ସେ ନିଜେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହିତ କଥା ହେବାକୁ ପ୍ରସ୍ତୁତ। ଆଉ ତା ସହିତ କହିଥିଲେ ଯେ ପାକିସ୍ତାନ ଅଭିନନନ୍ଦନଙ୍କୁ ଫେରାଇବାକୁ ପ୍ରସ୍ତୁତ ଅଛି କିନ୍ତୁ ବଦଳରେ ଚାହିଁଥିଲା ଶାନ୍ତି ପ୍ରତିଷ୍ଠାର ପ୍ରତିଶ୍ରୁତି । ତେବେ ପାକିସ୍ତାନର ଏହି ବୃଦ୍ଧ ବ୍ୟାଘ୍ରର କଙ୍କଣ ଦାନ ଓ ଶାନ୍ତି ପ୍ରସ୍ତାବରେ ପରତେ ଯାଇନି ଭାରତ। ସିଧା ସିଧା ଶୁଣାଇ ଦେଇଛି ଅଭିନନନ୍ଦଙ୍କୁ ନିରାପଦର ସହିତ ଫେରାଅ। ଜଣେ ପାଇଲଟଙ୍କୁ କାହିଁକି ନିର୍ଯାତନା ଦିଆଗଲା ତାର ଜବାବ ଦିଅ । ପୋଷ୍ୟପୁଅ କରି ରଖିଥିବା ଆତଙ୍କବାଦୀଙ୍କ ବିରୋଧରେ ଆଖି ଦୃଶିଆ ପଦକ୍ଷେପ ନିଅ। ତାପରେ ଯେଉଁ କଥା।
ଏତିକିବେଳେ ସୀମାରେ ଗୁଳି ବିନିମୟ ଜୋରଦାର ହୋଇଛି। ପୁଞ୍ଛ ଓ ନୌସେରା ସେକ୍ଟରରେ ଦୁଇ ଦେଶ ମଧ୍ୟରେ ପ୍ରବଳ ଗୁଳିଗୋଳା ବିନିମୟ ହୋଇଛି । ପାକିସ୍ତାନ ପଟୁ ପ୍ରବଳ ମାତ୍ରାରେ ଗୁଳିଗୋଳା ବର୍ଷା ହୋଇଥିବା ବେଳେ ଏହାର ଜବାବ ଦେଇଛି ଭାରତ। ଭାରତ ପକ୍ଷରୁ ମଧ୍ୟ ମୋର୍ଟାର ମାଡ଼ ହୋଇଛି । ସେପଟେ ସୀମାବର୍ତ୍ତି ଅଞ୍ଚଳରେ ସ୍କୁଲଗୁଡ଼ିକ ଛୁଟି କରିଦିଆଯାଇଛି । ଲୋକଙ୍କୁ ସୁରକ୍ଷିତ ରହିବା ଲାଗି ପରାମର୍ଶ ଦିଆଯାଇଛି।
ଚାରିପଟୁ ପାକିସ୍ତାନ ଭାରତକୁ ରାମ୍ପୁଡ଼ିବା କାମୁଡ଼ିବା ପାଇଁ ଚେଷ୍ଟା କରି ବିଫଳ ହୋଇଛି। ଏତିକିବେଳେ ଦେଶର ସମସ୍ତ ବିମାନସେବା ବନ୍ଦ କରିଛି, ଭାରତକୁ ଆସୁଥିବା ସମଝୌତା ଏକ୍ସପ୍ରେସ ମଧ୍ୟ ବନ୍ଦ ରଖିଛି ।