CPECକୁ ନେଇ ଚୀନ୍ ଓ ପାକ୍‌କୁ ଭାରତର ଚେତାବନୀ, ବିବାଦୀୟ ଭୂମି ଉପରେ ନିର୍ମାଣ ନ କରିବାକୁ ନିର୍ଦ୍ଦେଶ ଜାରିକଲେ ସରକାର

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦।୭: ନିକଟରେ ଚୀନ୍‌ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେମାନେ କାଶ୍ମୀରକୁ ନେଇ ଯେଉଁ ବୟାନ ଦେଇଥିଲେ ଭାରତ ତାକୁ ମୂଳରୁ ଖାରଜ କରିଥିଲା। ଏବେ ପ୍ରସଙ୍ଗରେ ଭାରତ ଉଭୟ ଚୀନ୍‌ ଓ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ଭାରତୀୟ ଭୂମି ଉପରେ ଚୀନ୍‌ର ଇକୋନମିକ କରିଡୋର (ସିପିଇସି) ନିର୍ମାଣ ନ କରିବାକୁ ଦୁଇ ଦେଶଙ୍କୁ ସଫାସଫା ସୁଣାଇ ଦେଇଛି। 

ସିପିଇସି ନେଇ ଭାରତର ଏହା ପ୍ରଥମ ପ୍ରତିକ୍ରିୟା। ଏଥିରେ ପାକିସ୍ତାନ ପକ୍ଷରୁ ବେ ଆଇନ ଭାବେ ଜବରଦଖଲ ଭାରତୀୟ ଭୂମି ଉପରେ ପ୍ରକଳ୍ପ ନିର୍ମାଣ କରାଯାଉଥିବା ଚୀନ୍‌କୁ ଭାରତ ସୂଚିତ କରିଛି। ଏଣୁ ଏହାର ଯଥାସ୍ଥିତି ପରିବର୍ତ୍ତନ ନ କରିବା ଲାଗି ସତର୍କ କରାଯାଇଛି। ସିପିଇସିକୁ ନେଇ ଭାରତ ପ୍ରଥମରୁ ବିରୋଧ କରିଆସୁଛି। ତେବେ ଏଠାରେ ଚାଲିଥିବା କାମ ଅଟକାଇବାକୁ ପ୍ରଥମ ଥର କହିଛି। ଏ ନେଇ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଭାରତ-ଆମେରିକା ସମ୍ପର୍କ ନେଇ ରଖିଥିବା ବୟାନରେ ଚୀନ୍‌ର ସିପିଇସିକୁ ମଧ୍ୟ କଡ଼ା ବାର୍ତ୍ତା ଦେଇଛନ୍ତି ।

{"id":488222,"sizeSlug":"large","linkDestination":"none"}

ଚୀନ୍‌ ସିପିଇସି ନେଇ ୨୦୧୫ ମସିହାରେ ପ୍ରଥମ ବୈଠକ ଆହ୍ୱାନ କରିଥିଲା। ତେବେ ଭାରତ ଏଥିରେ ଯୋଗ ଦେଇନଥିବା ବେଳେ ପ୍ରକଳ୍ପ ନେଇ ନିଜର ବିରୋଧ ପ୍ରକଟ କରିଥିଲା। ସେବେଠାରୁ ଭାରତକୁ ନେଇ ଚୀନ୍‌ ଆକ୍ରମକ ମନଭାବ ପୋଷଣ କରିଆସୁଛି। ଭାରତର ବିରୋଧ ପରେ ଫ୍ରାନ୍ସ, ଆମେରିକା, ଜାପାନ, ବ୍ରିଟେନ, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ଆଦି ଦେଶମାନେ ଅନ୍ତର୍ଜାତୀୟ ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ଅନ୍ୟ ଦେଶଙ୍କ ଭୌଗଳିକ ଅଖଣ୍ଡତା ପ୍ରତି ସମ୍ମାନ ରହିବା ଦରକାର ବୋଲି ମଧ୍ୟ କହିଛନ୍ତି।

ଏଥିରେ ପାକିସ୍ତାନ ଆଜାଦ (ପାକିସ୍ତାନର ଗୁଲାମ) କାଶ୍ମୀରରେ ନିର୍ବାଚନ କରାଇବା ଘଟଣା ମଧ୍ୟ ନଜରକୁ ଆସିଛି। ଯାହାକୁ ଭାରତ କଡ଼ା ବିରୋଧ କରିଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଭାରତୀୟ ଭୂମିକୁ ବେଆଇନ ଦଖଲ କରି ସେଠାରେ ନିର୍ବାଚନ କରିଦେଲେ ପାକିସ୍ତାନ ସତ୍ୟକୁ ଦବାଇ ପାରିବନି ବୋଲି କହିଚନ୍ତି। ଏନେଇ ଭାରତ ପକ୍ଷରୁ ପାକିସ୍ତାନ ନିକଟରେ ଆପତ୍ତି ମଧ୍ୟ କରାଯାଇଛି। ଏହା ଛଡା ପାକିସ୍ତାନର ପଦକ୍ଷେପକୁ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରିଛନ୍ତି। ଏଣୁ ପାକିସ୍ତାନ ଯଥାଶୀଘ୍ର ଭାରତୀୟ ଭୂମିରୁ ନିଜକୁ ପ୍ରତ୍ୟାହାର କରୁ ବୋଲି କଡାକଡି ଶୁଣାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.