କରୋନା ମାମଲା ବଢିବା ପରେ ଲୋକେ ଆତଙ୍କିତ, ଏବେ ଭାକସିନ୍ ନେବାକୁ ଚାହୁଁଛନ୍ତି ଅଧିକରୁ ଅଧିକ ଭାରତୀୟ

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ,୦୩/୦୪:   ଦେଶରେ କରୋନା ପୁଣି କରାଳ ରୂପ ଧାରଣ କରିଛି । ଦୈନିକ ସଂକ୍ରମଣ ୮୧ ହଜାର ଟପିଛି । ଏହାସହ ଅନେକ ସହରରେ ଲକଡାଉନ୍ ଫେରିଛି । କର୍ଫ୍ୟୁ ଲାଗିଛି । ଏହାମଧ୍ୟରେ କିନ୍ତୁ ଦେଶରେ ଜାରି ରହିଛି ଟିକାକରଣ । ତେବେ ଦେଶରେ ୭୭ ପ୍ରତିଶତ ବ୍.କ୍ତି ଟିକା ନେବାକୁ ଚାହୁଁଥିବା ଏକ ସର୍ଭେରେ ପ୍ରକାଶ ପାଇଛି । ଏହି ସଂଖ୍ୟା ଗତ ୩ ମାସ ତଳେ ମାତ୍ର ୩୮ପ୍ରତିଶତ ଥିଲା ।

ସର୍ଭେର ରିପୋର୍ଟ ଶୁକ୍ରବାର ସାମ୍ନାକୁ ଆସିଛି । ଲୋକାଲ ସର୍କଲ୍ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଏଥିରେ ଦେଶର ୨୯୯ ଜିଲ୍ଲାରୁ ୨୭୦୦୦ ଜଣ ଭାଗ ନେଇଥିଲେ । ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୬୭ ପ୍ରତିଶତ ପୁରୁଷ ଥିବା ବେଳେ ୩୩ ପ୍ରତିଶତ ମହିଳା ରହିଥିଲେ ।

ସର୍ଭେର ରିପୋର୍ଟ ଅନୁସାରେ, ଟିକା ନେଇଥିବା ୫୨ ପ୍ରତିଶତଙ୍କ ଠାରେ ଭାକସିନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଜାନୁଆରୀ ଆରମ୍ଭରେ ୩୮ ପ୍ରତିଶତ ଓ ଜାନୁଆରୀ ତୃତୀୟ ସପ୍ତାହରେ ୪୦ ପ୍ରତିଶତ ବ୍ୟକ୍ତି ଟିକା ନେବାକୁ ଇଚ୍ଛୁକ ଥିଲେ । ଫେବ୍ରୁଆରୀରେ ଏହି ସଂଖ୍ୟା ୫୦ ପ୍ରତିଶତରେ ପହଁଚିଥିଲା । ତେବେ ଏପ୍ରିଲ ୧ରେ ଏହା ୭୭ ପ୍ରତିଶତକୁ ବୃଦ୍ଧି ପାଇଛି । ୩୬ ପ୍ରତିଶତ ବ୍ୟକ୍ତି ଏବେବି ଭାକସିନ୍ ନେବାକୁ କୁଣ୍ଠାବୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ନେତାମାନେ ଟିକା ନେବା ପରେ ଅଧିକରୁ ଅଧିକ ଲୋକ ଭାକସିନ୍ ନେବାକୁ ଚାହୁଁଥିବା ଅନୁମାନ କରାଯାଉଛି । ଏପରିକି ଏପ୍ରିଲରେ ଅଧିକ ପଜିଟିଭ୍ ମାମଲା ଆସିବା ପରେ ଲୋକମାନେ ଟିକା ନେବାକୁ ତତ୍ପରତା ପ୍ରକାଶ କରିଛନ୍ତି ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଟିକା ନେଇଥିବା ୫୨ ପ୍ରତିଶତଙ୍କ ଠାରେ କୌଣସି ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିନାହିଁ । ୧୭ ପ୍ରତିଶତ କେବଳ କାନ୍ଧରେ ଯନ୍ତ୍ରଣା ହୋଇଥିବା କହିଛନ୍ତି । ସେହିପରି ୧୩ ପ୍ରତିଶତ ଶରୀରରେ ପୀଡା ଅନୁଭୂତ ହୋଇଥିବା ପ୍ରକାଶ କରିଛନ୍ତି  । ୧୦ ପ୍ରତିଶତ ଟିକା ନେଇସାରି ଜ୍ୱରରେ ଆକ୍ରାନ୍ତ ହୋଇଥିବା କହିଛନ୍ତି । କେବଳ ୧ ପ୍ରତିଶତ କୌଣସି ସାଇଡ୍ ଇଫେକ୍ଟ ବାବଦରେ କହିବାକୁ ମନା କରିଛନ୍ତି ।

ଏତତ୍ ବ୍ୟତୀତ ୨୨ ପ୍ରତିଶତ ଲୋକ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ୩୩ ପ୍ରତିଶତ ଭାରତ ବାୟୋଟେକର କୋଭାକ୍ସିନ୍ ପ୍ରତି ଅଧିକ ଭରସା ପ୍ରକଟ କରିଛନ୍ତି । ତେବେ କିଛି ବ୍ୟକ୍ତି ଅନ୍ୟ କୌଣସି ଭାକସିନ୍ ଆସିଲେ ଟିକା ନେବେ ବୋଲି କହିଛନ୍ତି ।   ଏହାସହ ୭୦ ପ୍ରତିଶତ ବ୍ୟକ୍ତି ୧୮ରୁ ୪୫ ବୟସ ବର୍ଗଙ୍କୁ ଟିକା ଦିଆଯାଉ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.