ଚତୁର୍ଥ ଦିନିକିଆ : ୨୨୪ ରନ୍‌ରେ ଓ୍ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା ଭାରତର, ୨-୧ରେ ସିରିଜ ଆଗୁଆ

Published By : Prameya-News7 Bureau | October 29, 2018 IST

ମୁମ୍ବାଇ ୨୯/୧୦: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁମ୍ବାଇଠାରେ ଚାଲିଥିବା ଚତୁର୍ଥ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ୨୨୪ ରନରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଓ୍ୱେଷ୍ଟଇଣ୍ଡିଜ ସମ୍ମୁଖରେ ୩୭୮ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ତେବେ ମାତ୍ର ୩୬.୨ ଓଭରରେ ଓ୍ୱେଷ୍ଟଇଣ୍ଡିଜ ୧୫୩ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ୫ଟିକିଆ ସିରିଜରେ ଭାରତ ୨-୧ ରେ ଆଗୁଆ ହୋଇଛି । ୩୭୮ ରନର ବିଶାଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓ୍ୱେଷ୍ଟଇଣ୍ଡିଜ ଦଳ ଆଜି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେ.ପାଓ୍ୱଲ, ଏବଂ ଏସ.ହୋପ୍‌ ରନଆଉଟ ହୋଇଥିବା ବେଳେ ସି ହେମରାଜ ମାତ୍ର ୧୪ ରନ କରି ଭୁବନେଶ୍ୱର କୁମାରଙ୍କ ବଲରେ ଅମ୍ୱାତୀ ରାୟୁଡୁଙ୍କ ଦ୍ୱାରା କ୍ୟାଚଆଉଟ ହୋଇଥିଲେ । ସେହିଭଳି ଏମ.ସାମୁଏଲ୍ସ ୧୮ ରନ, ଏସ. ହେତମୟାର ୧୩ ରନ, ଆର. ପଓ୍ୱଲ ୧ ରନ, ଏଫ.ଆଲେନ ୧୦ ରନ, ଏ.ନର୍ସେ ୮ ରନ କରି ଆଉଟ ହୋଇଥିଲେ । କେ ପାଉଲଙ୍କୁ ଧୋନୀ ଷ୍ଟମ୍ପଆଉଟ କରିଥିଲେ । ଏକମାତ୍ର ଖେଳାଳି ଜେ.ହୋଲଡର ଅର୍ଦ୍ଧଶତକ କରି ଦଳର ସମ୍ମାନ ରକ୍ଷା କରିଥିଲେ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଗୋଟିଏ ଓ୍ୱିକେଟ ହାସଲ କରିଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ଓ୍ୱିକେଟ ହାସଲ କରିଥିଲେ । ଖଲିଲ ଅହମ୍ମଦ ସର୍ବାଧିକ ୩ଟି ଓ୍ୱିକେଟ ହାସଲ କରିଥିବା ବେଳେ କେଦାର ଯାଦବ ମଧ୍ୟ ତିନିଟି ଓ୍ୱିକେଟ ପାଇଥିଲେ । ଯସପ୍ରିତ୍ ବୁମରାହଙ୍କୁ ଆଜି କୌଣସି ଓ୍ୱିକେଟ ମିଳିନାହିଁ । ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାପାଇଁ ମଇଦାନକୁ ଓହ୍ଲାଇଥିଲା। ରୋହୀତ ଶର୍ମା ଏବଂ ଶିଖର ଧାଓ୍ବନ ଭଲ ଓପନିଂ କରିଥିଲେ। ତେବେ ୪୦ଟି ବଲରେ ଦୁଇଟି ଛକା ଓ ୪ଟି ଚଉକା ସାହାଯ୍ୟରେ ୩୮ରନ୍ କରି ଧାଓ୍ବନ ଆଉଟ୍ ହୋଇଯାଇଥିଲେ। ସେହିଭଳି ପରବର୍ତ୍ତୀ ବ୍ୟାଟସମ୍ୟାନ ଭାବେ ରୋହୀତ ଶର୍ମାଙ୍କ ସାଥ୍ ଦେଇଥିଲେ ଅଧିନାୟକ ବିରାଟ କୋହଲି। ତେବେ କୋହଲିଙ୍କ ବ୍ୟାଟ୍ ଆଜି ଭଲ ଚାଲିନଥିଲା। ୧୭ଟି ବଲରେ ମାତ୍ର ୧୬ରନ୍ କରି କୋହଲି ପାଭିଲିୟନକୁ ଫେରିଥିଲେ। ରୋହୀତ ଶର୍ମା କିନ୍ତୁ ବେଶ୍ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କୁ ଦୃଢ଼ ସହଯୋଗ ଦେଇଥିଲେ ଅମ୍ବାତି ରାୟୁଡ଼ୁ। ରୋହୀତ ଶର୍ମା ୧୩୭ଟି ବଲ୍ ଖେଳି ୪ଟି ଛକା ଏବଂ ୨୦ଟି ଚଉକା ସାହାଯ୍ୟରେ ୧୬୨ରନ୍ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ରେହୀତ ଶର୍ମା ଆଉଟ୍ ହେବା ପରେ ରାୟୁଡ଼ୁଙ୍କୁ ସାଥ୍ ଦେବା ପାଇଁ ମଇଦାନକୁ ଓହ୍ଲାଇଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇତିମଧ୍ୟରେ ୮୧ଟି ବଲ୍ ଖେଳି ରାୟୁଡ଼ୁ ୪ଟି ଛକା ଏବଂ ୮ଟି ଚଉକା ସହାୟତାରେ ଦ୍ରୃତ ଶତକ ହାସଲ କରିଥିଲେ। ନିଜସ୍ବ ସ୍କୋର ଠିକ୍ ୧୦୦ହୋଇଥିବାବେଳେ ରାୟୁଡ଼ୁ ରନ୍ ଆଉଟ୍ ହୋଇଯାଇଥିଲେ। ଧୋନୀ ଆଜି ମଧ୍ୟ ଦଳକୁ ନିରାଶ କରିଛନ୍ତି। ଦ୍ରୃତ ରନ୍ ସଂଗ୍ରହ କରିବାପାଇଁ ଉଦ୍ୟମ କରି ଓ୍ବିକେଟ୍ ହରାଇଛନ୍ତି। ଧୋନୀ ୧୫ଟି ବଲ୍ ଖେଳି ୨ଟି ଚଉକା ସହାୟତାରେ ୨୩ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ। କେଦାର ଯାଦବ ୭ଟି ବଲରୁ ୩ଟି ଚୌକା ସହାୟତାରେ ୧୬ରନ ସଂଗ୍ରହ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୪ଟି ବଲରୁ ଗୋଟିଏ ଚୌକା ସହାୟତାରେ ୭ରନ କରି ନଟଆଉଟ ରହିଥିଲେ । ୫ଟିକିଆ ସିରିଜରେ ଅଦ୍ୟାବଧି ଖେଳ ସରିଥିବା ୪ଟି ମ୍ୟାଚରୁ ଭାରତ ଦୁଇଟି ଜିତିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ଗୋଟିଏ ମ୍ୟାଚ୍ ଜିତିଛି ଏବଂ ଗୋଟିଏ ଟାଇ ହୋଇଛି। ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ୮ଓ୍ବିକେଟରେ ପରାସ୍ତ କରିଥିଲା। ଦ୍ବିତୀୟ ଦିନିକିଆ ବିଶାଖାପାଟଣାରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୨୨ରନର ବିଜୟ ଲକ୍ଷ୍ୟ ରଖିଥିଲା। କିନ୍ତୁ ୩୨୧ରନ୍ କରି ଓ୍ବେଷ୍ଟଇଣ୍ଡିଜ ଦଳ ମ୍ୟାଚର ଶେଷ ବଲରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ମ୍ୟାଚ୍ ଟାଇ ହୋଇଥିଲା। ପୁଣେଠାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ଭାରତକୁ ୪୩ରନରେ ପରାସ୍ତ କରିଥିଲା। ଓ୍ବେଷ୍ଟଇଣ୍ଡିଜ ଏହି ମ୍ୟାଚରେ ୯ଓ୍ବିକାଟ୍ ହରାଇ ୨୮୩ରନ୍ କରିଥିବାବେଳେ ଭାରତ ୪୭.୪ଓଭରରେ ମାତ୍ର ୨୪୦ରନ୍ କରି ଅଲ୍ ଆଉଟ ହୋଇଯାଇଥିଲା। ଆଜିର ଏହି ବିଶାଳ ବିଜୟ ପରେ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.