ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ୟ ଦିନିକିଆ ; ୨-୦ରେ ଆଗୁଆ ରହିବା ଲକ୍ଷ୍ୟରେ ଭାରତ

Published By : Prameya-News7 Bureau | October 27, 2018 IST

ପୁନେ ୨୭|୧୦: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ । ୫ଟିକିଆ ଦିନିକିଆ ଶୃଙ୍ଖଳାର ତୃତୀୟ ମୁକାବିଲା ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚକୁ ଭାରତ ୮ ୱିକେଟ୍ ରେ ସହଜରେ ଜିତି ନେଇଥିଲା। ହେଲେ ବିଶାଖାପାଟଣା ଦିନିକିଆରେ  ଭାରତକୁ କଡ଼ା ଜବାବ୍ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ଭାରତ ୩୨୧ ରନ୍ ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଓ୍ବେଷ୍ଟ ଇଣ୍ଡିଜ୍ ଟାଇ ରଖିବାକୁ ସକ୍ଷମ ହୋଇଥିଲା। ଏହି ଦୁଇ ମ୍ୟାଚ୍ ରେ ଭାରତୀୟ ବୋଲରମାନେ ପ୍ରଭାବ ବିହୀନ ରହିଥିଲେ। ଯାହାର ଫାଇଦା ଉଠାଇ ଇଣ୍ଡିଜ୍ ଦଳ ଦୁଇଟି ଯାକ ମ୍ୟାଚ୍ ରେ ୩୦୦ ରନ୍ ପାରି କରିଥିଲା। ଏଥି ଲାଗି ଭାରତ ଶେଷ ୩ ଦିନିକିଆରେ ମହମ୍ମଦ ସାମିଙ୍କୁ ବାଦ୍ ଦେଇ ଦୁଇ ଭରସାଯୋଗ୍ୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ୍ ବୁମରାଙ୍କୁ ଦଳରେ ସାମିଲ କରିଛି। ଫଳରେ ବିଶାଖାପାଟଣାର ଭୁଲ୍ ସୁଧାରି ୨-୦ର ଅଗ୍ରଣୀ ହେବା ଲକ୍ଷ୍ୟରେ ଭାରତ ରହିଛି। ଅନ୍ୟପକ୍ଷରେ ବିଶାଖାପାଟଣାରେ ବିଜୟରୁ ବଞ୍ଚିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ପୁଣି ମୁହଁତୋଡ ଜବାବ ଦେଇ ସ୍ଥିତି ୧-୧ କରିବା ଯୋଜନାରେ ରହିଛି । ସମ୍ଭାବ୍ୟ ଭାରତୀୟ ଦଳରେ ଅଛନ୍ତି ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା‌, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ ବୁମ୍‌ରା। ସେହିପରି ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ୍ ଦଳରେ ଅଛନ୍ତି ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ୍‌ ଆଲିନ୍‌, ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ୍ ହେଟମେୟର, ସାଇ ହୋପ୍, ଆଲଜାରି ଜୋସେଫ, ଏଭିନ୍ ଲୁଇସ୍, ଆସଲେ ନର୍ସ, କିମୋ ପଲ୍, ରଭମନ ପାୱେଲ, କେମାର ରୋଚ୍, ମାର୍ଲନ ସାମୁଏଲ୍ସ ଏବଂ ଓସାନେ ଥୋମାସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.