ଆଜି ବିଶାଖାପାଟଣାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ବିତୀୟ ଦିନିକିଆ
24/10/2018 at 9:50 AM

ବିଶାଖାପାଟଣା ୨୪|୧୦: ଆଜି ବିଶାଖାପାଟଣାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ଦ୍ଵିତୀୟ ଦିନିକିଆ ପାଇଁ ୧୨ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରଥମ ଦିନିକିଆରେ ଧମାକାଦାର ବିଜୟ ପରେ ୧୨ ତମ ଖେଳାଳି ରୂପେ କୁଲଦୀପ ଯାଦବଙ୍କୁ ଦଳରେ ଚୟନ କରାଯାଇଛି । ରୋହିତ ଶର୍ମା ଓ ଶିଖର ଧାୱନ ଦଳର ଓପନିଂ ଦାୟିତ୍ଵ ସମ୍ଭାଳିବେ ଏବଂ କୋହଲି ତୃତୀୟ କ୍ରମରେ ବ୍ୟାଟିଂ କରିବେ । କୋହଲିଙ୍କ ପରେ ଭଲ ଫର୍ମରେ ନଜର ଆସୁଥିବା ଅମ୍ବାତି ରାୟୁଡୁଙ୍କୁ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ପୁଣି ସୁଯୋଗ ଦିଆଯାଇପାରେ। ସେହିପରି ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି ଓ ଖଲିଲ ଅହମ୍ମଦ ଚମତ୍କାର ବୋଲିଂ ପ୍ରଦର୍ଶନ କରିବେ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।
ସମ୍ଭାବ୍ୟ ଭାରତୀୟ ଦଳରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ ଅଛନ୍ତି । ସେହିଭଳି ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ୍ ଦଳରେ ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ୍ ହେଟମେୟର, ସାଇ ହୋପ୍, ଆଲଜାରି ଜୋସେଫ, ଆସଲେ ନର୍ସ, କିମୋ ପଲ୍, ରଭମନ ପାୱେଲ, କିରଣ ପାୱେଲ, କେମାର ରୋଚ୍, ମାର୍ଲନ ସାମୁଏଲ୍ସ, ଓସାନେ ଥୋମାସ ଅଛନ୍ତି ।
ଭାରତର ଆଜିର ମ୍ୟାଚ୍ ଖାସ୍ ରହିଛି । କାରଣ ୯୫୦ତମ ଦିନିକିଆ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଚତ୍ମକାର ଫର୍ମରେ ଥିବା ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ବଳରେ ଦ୍ଵିତୀୟ ଦିନିକିଆରେ ଭାରତ ନିଜର ଲୟ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ଯଦି ଏହି ମ୍ୟାଚରେ ୮୧ ରନ୍ କରନ୍ତି ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପଛରେ ପକାଇ ସବୁଠୁ କମ୍ ପାଳିରେ ୧୦ ହଜାର ରନ୍ ପୂରା କରିବାର ବିଶ୍ଵ ରେକର୍ଡ ସ୍ଥାପନ କରିବେ । ତେନ୍ଦୁଲକର ୨୫୯ଟି ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ୨୦୪ ଇନିଂସରୁ ୯୯୧୯ ରନ୍ କରିଛନ୍ତି ।