ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ : ଟି-ଟ୍ବେଣ୍ଟି ପରେ ଦିନିକିଆ ସିରିଜ୍ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

Published By : Prameya-News7 Bureau | August 08, 2019 IST

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ ସିରିଜ । ପ୍ରଥମ ଦିନିକିଆ ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ । ବିରାଟ ବାହିନୀ ଟି-ଟ୍ବେଣ୍ଟି ସିରିଜ ବିଜୟ ପରେ ଦିନିକିଆ ସିରିଜକୁ ହାତେଇବା ଲକ୍ଷ୍ୟରେ ରହିବ । ଏପଟେ ଘରୋଇ ଦଳ ୱେଷ୍ଟଇଣ୍ଡିଜ ଦିନିକିଆ ସରିଜ ଜିତି ଟି-ଟ୍ବେଣ୍ଟି ସିରିଜ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ।

ଭାରତ ପକ୍ଷରୁ ଟପ୍ ବ୍ୟାଟ୍ସମ୍ୟାନ ତାଲିକାରେ ରୋହିତ ଶର୍ମା, ଶିଖର ଧାୱନ ଓ ବିରାଟ କୋହଲି ଥିବା ବେଳେ ମଧ୍ୟଭାଗରେ ମନୀଷ ପାଣ୍ଡେ, ଶ୍ରେୟଶ ଆୟାର, କେ.ଏଲ. ରାହୁଲ ଯୁବ ୱିକେଟ୍ କିପର ଋଷଭ ପନ୍ତଙ୍କ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଛନ୍ତି । ବୋଲିଂ ବିଭାଗରେ ଭଲ ଫର୍ମରେ ଅଛନ୍ତି ଯୁବ ପେସ୍ ବୋଲର ନବଦୀପ ସାଇନି । ସ୍ପିନ ବିଭାଗ ସମ୍ଭାଳିବେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ଦକ୍ଷ ବୋଲର । ୱେଷ୍ଟଇଣ୍ଡିଜର ଶ୍ରେଷ୍ଠ କ୍ରମର ବ୍ୟାଟ୍ସମ୍ୟାନ ଅଛନ୍ତି କ୍ରିସ୍ ଗେଲ, ଇଭିନ ଲୁଇସଙ୍କ ସହ ହେଟମାୟର ।

ମଧ୍ୟଭାଗକୁ ସମ୍ଭାଳିବେ ପୋରାନ, କାର୍ଲୋଙ୍କ ଭଳି ବ୍ୟାଟ୍ସ ମ୍ୟାନ । ବୋଲିଂ ବିଭାଗରେ କେମୋର ରୋଚ, ଓସେନ ଥୋମାସ, କେମୋ ପାଉଲ, ସେଲଡନ କଟ୍ରେଲ ଭଳି ବହୁ ଦକ୍ଷ ବୋଲର ଅଛନ୍ତି । ସିରିଜରେ କଡା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି । ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ୧୧ ଓ ୧୪ ତାରିଖରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.