ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦, ଭାରତ ସପକ୍ଷରେ ରହିଛି ଷ୍ଟାଡିୟମର ପୂର୍ବ ରେକର୍ଡ

Published By : Prameya-News7 Bureau | January 07, 2020 IST

ଇନ୍ଦୋର ୭।୧: ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବି-ଟେଣ୍ଟି । ରବିବାର ବର୍ଷା ପାଇଁ ପ୍ରଥମ ମ୍ୟାଚ୍ ଧୋଇ ହୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଉଭୟ ଦଳ । ଏହି ମ୍ୟାଚରେ ପୁଣି ସମସ୍ତଙ୍କ ନଜର ଶିଖର ଧୱନ ଓ ଯଶପ୍ରୀତ ବୁମରାଙ୍କ ଉପରେ ରହିବ । ପ୍ରଥମ ମ୍ୟାଚ୍ ବାତିଲ ହେବା ଦ୍ବାରା ଧୱନଙ୍କ ପାଖରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଲୋକେଶ ରାହୁଲଙ୍କୁ ପଛରେ ପକାଇବା ପାଇଁ ଗୋଟିଏ ମ୍ୟାଚ୍ କମ୍ ମିଳିବ । ଗୌହାଟୀରେ ପ୍ରଥମ ମ୍ୟାଚରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା। ତେଣୁ ଆଜି ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବେ ନାହିଁ। ସବୁଠୁ ବଡ଼ କଥା ଏହି ଷ୍ଟାଡିୟମରେ ଭାରତର ରେକର୍ଡ ଅପରାଜୟ ରହିଛି।

୨୦୦୬ରୁ ଅଦ୍ୟାବଧି ଏହି  ଷ୍ଟାଡିୟମରେ ଦୁଇଟି ଟେଷ୍ଟ, ଗୋଟିଏ  ଟି-୨୦ ମୁକାବିଲା ଓ ୫ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି । ତିନି ଫର୍ମାଟର ଏହି ସବୁ ୮ଟି ମ୍ୟାଚରେ ଭାରତ ବିରୋଧୀ ଦଳ ବିପକ୍ଷରେ ବିଜୟ ହାସଲ କରିଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍ ହୋଲକର ଷ୍ଟାଡିୟମରେ ଦ୍ଵିତୀୟ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ହେବ। ଆଜି ବୁମରାଙ୍କୁ ଇନ୍ଦୋରରେ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ ।

ପାଗ ମୁଖ୍ୟତଃ ସଫା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଗୌହାଟୀ ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଚୂଡ଼ାନ୍ତ ଏକାଦଶରେ ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ସୁଯୋଗ ଦେଇନଥିଲେ । କାରଣ ଭ୍ରମଣକାରୀ ଟିମ୍ ୩ ସ୍ପେଶାଲିଷ୍ଟ ବୋଲର ଏବଂ ଦୁଇ ସ୍ପିନରଙ୍କୁ ଖେଳାଇବାକୁ ନିଷ୍ପତ୍ତି ନେଇଥିଲା ।

ସମ୍ଭାବ୍ୟ ଭାରତ ଦଳ : ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେ ଏଲ୍ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍, ଋଷଭ ପନ୍ତ (ଓ୍ବିକେଟ୍ କିପର), ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ନଭଦୀପ୍ ସଇନି, ଯଶ୍ରପୀତ ବୁମ୍‌ରା, ୱାଶିଂଟନ୍‌ ସୁନ୍ଦର।

ସମ୍ଭାବ୍ୟ ଶ୍ରୀଲଙ୍କା ଦଳ : ଲସିଥ ମଲିଙ୍ଗା (ଅଧିନାୟକ), ଧନଞ୍ଜୟ ଡିସିଲଭା, ୱାନିନ୍ଦୁ ହସରଙ୍ଗା, ନିରୋଶନ ଡିକ୍ବେଲା (ଓ୍ବିକେଟ୍ କିପର), ଓସଦା ଫର୍ନାଣ୍ଡୋ, ଅଭିସ୍କା ଫର୍ନାଣ୍ଡୋ, ଦାନୁସ୍କା ଗୁଣତିଲକା, ଲାରିରୁ କୁମାରା, ଆଞ୍ଜେ‌ଲୋ ମାଥ୍ୟୁସ, କୁସଲ ମେଣ୍ଡିସ, କୁସଲ ପେରେରା, ଭାନୁକା ରାଜପକ୍ଷେ, କୁସନ ରଜିତା, ଲକ୍ଷଣ ସନ୍ଦକନ, ଦାସୁନ ସନାକା, ଇସରୁ ଉଡାନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.