ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ : ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କିଓ୍ବି ଟିମ ୧୪୦/୫, ବିଜୟ ଲକ୍ଷ ଆହୁରି ୪୦୦ ରନ୍‌

Published By : Prameya-News7 Bureau | December 05, 2021 IST

ମୁମ୍ବାଇ ୦୫/୧୨ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଜାରି ରହିଥିବା ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ବିଜୟ ଲକ୍ଷ୍ୟର ଦ୍ବାର ଦେଶରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ଭାରତକୁ ମ୍ୟାଚ ବିଜୟୀ ପାଇଁ ଆଉ ମାତ୍ର ୫ଟି ଓ୍ବିକେଟ ଆବଶ୍ୟକ ଥିବା ବେଳେ ହାତରେ ଆହୁରି ୨ ଦିନ ରହିଛି । ସେପଟେ ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ଆହୁରି ୪ଶହ ରନ କରିବାକୁ ହେବ । ଅବଶ୍ୟ ଖେଳ ଆହୁରି ୨ ଦିନ ବାକି ଅଛି କିନ୍ତୁ ହାତରେ ଓ୍ବିକେଟ ନାହିଁ । ଦଳର ୫ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନରେ । ତେଣୁ ଟିମ ଇଣ୍ଡିଆର ବିଜୟ ଏକ ପ୍ରକାର ସ୍ପଷ୍ଟ ବାରି ହୋଇପଡୁଛି ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍‌ ପଟେଲ ୧୦ଓ୍ବିକେଟ ନେଇ ଇତିହାସ ରଚିଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଟିମ ଇଣ୍ଡିଆ, ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ୭ଓ୍ବିକେଟ ହରାଇ ୨୭୬ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ଦ୍ବିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କିଓ୍ବି ଟିମ । ଫଳରେ ବିଜୟ ଠାରୁ ବହୁ ଦୂରରେ ଦଳ ରହିଛି । ଦ୍ବିତୀୟ ଇନିଂସରେ ମଧ୍ୟ କମାଲ କରିଛନ୍ତି ସ୍ବିନ ସ୍ପେଶାଲିଷ୍ଟ ରବିଚନ୍ଦ୍ରନ ଅଶ୍ବିନ । ପ୍ରଥମରୁ ୩ ଓ୍ବିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ।

୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୪୦ ରନ କରି ୫ ଓ୍ବିକେଟ ହରାଇଛି । ଦଳ ପକ୍ଷରୁ ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ ଫେଲ ମାରିଛନ୍ତି । ଲାଥାମ୍‌ ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୨୦ ରନ କରି ଆଉଟ ହୋଇଛନ୍ତି । ଡାରିଲ ମିଚେଲ୍‌ ଅର୍ଦ୍ଧଶତକ(୬୦ରନ) ହାସଲ କରିଥିଲେ ସୁଦ୍ଧା ବଡ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇନାହାନ୍ତି । ସେହିଭଳି ରସ୍ ଟେଲର ମାତ୍ର ୬ରନ କରି ଆଉଟ ହୋଇଥିବା​‌ ବେଳେ, ଟମ୍‌ ବ୍ଲଣ୍ଡେଲ ଖାତା ଖୋଲି ପାରି ନାହାନ୍ତି । ହେନରୀ ନିକୋଲ୍ସ ୩୬ ରନ ଏବଂ ରଚିନ୍‌ ରବିନ୍ଦ୍ର ୨ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ପୁଣି କମାଲ କରିଛନ୍ତି ପ୍ରଥମ ଇନିଂସ ହିରୋ ରବିଚନ୍ଦ୍ରନ ଅଶ୍ବିନ । ୧୭ ଓଭର ବୋଲିଂ କରି ୨୭ ରନ ଦେଇ ୩ଓ୍ବିକେଟ ନେଇଛନ୍ତି ଅଶ୍ବିନ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୧୦ ଓଭରରେ ୪୨ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ମହମ୍ମଦ ସିରାଜ ୫ଓଭରରେ ୧୩ରନ, ଜୟନ୍ତ ଯାଦବ ୮ ଓଭରରେ ୩୦ରନ ଏବଂ ଉମେଶ ଯାଦବ ୫ଓଭରରେ ୧୯ରନ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.