ଆଜି ରାଜକୋଟରେ ଭାରତ-ବାଂଲାଦେଶ ଦ୍ବିତୀୟ ଟି-୨୦ : ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ମ୍ୟାଚ୍ ଧୋଇଯିବା ଆଶଙ୍କା

Published By : Prameya-News7 Bureau | November 07, 2019 IST

ରାଜକୋଟ ୭।୧୧: ବାତ୍ୟା ଆଶଙ୍କା ଭିତରେ ଗୁଜରାଟର ରାଜକୋଟରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ନୂଆଦିଲ୍ଲୀ ଟ୍ବେଣ୍ଟି-୨୦କୁ ଅପ୍ରତ୍ୟାଶିତ ଭାବେ ୭ ୱିକେଟ୍ ରେ ହାରିଥିବା ଭାରତୀୟ କ୍ରିକେଟ୍ ଦଳ ଆଜିର ମ୍ୟାଚ୍ ହାରିଲେ ସିରିଜ ହାରିବ । ସେଥିପାଇଁ ଆଜିର ମ୍ୟାଚ୍ ରେ ରୋହିତ ଆଣ୍ଡ କୋଙ୍କ ପାଇଁ କର ବା ମର ପରିସ୍ଥିତି ।

ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଭାରତର ଦ୍ବିତୀୟ ସର୍ବାଧିକ ଟ୍ବେଣ୍ଟି-୨୦ ରନ୍ ସଂଗ୍ରହକାରୀ ହେବାର ସୁଯୋଗ ରହିବ । ସେହିପରି ରୋହିତ ମଧ୍ୟ ଆଜି ତାଙ୍କର ଶହେତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିବେ । ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ । ପ୍ରଥମ ଟ୍ବେଣ୍ଟି-୨୦ରେ ଦୁର୍ବଳ ବ୍ୟାଟିଂ ଓ  ୱିକେଟ୍ ରକ୍ଷଣ ସହ ରିଭ୍ୟୁ ନେବାରେ ଭୁଲ ନିଷ୍ପତ୍ତି ପାଇଁ ପନ୍ତ ଚାପରେ ରହିଛନ୍ତି ।

ସେହିପରି ଓପନିଂରେ  ଶିଖର ଧାୱନଙ୍କୁ ମଧ୍ୟ ଦ୍ରୁତ ବ୍ୟାଟିଂ କରିବାକୁ ହେବ । ଖଲିଲ ଅହମ୍ମଦ ଦିଲ୍ଲୀରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ଭାରତ ତାଙ୍କ ବଦଳରେ ଅଭିଜ୍ଞ ଶାର୍ଦ୍ଦୁଲ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇପାରେ । ଲୋକେଶ ରାହୁଲଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ମଧ୍ୟ ମୌକା ମିଳିବା ନେଇ ଚର୍ଚ୍ଚା ହେଉଛି ।

ସେପଟେ ବାଂଲାଦେଶ ପାଇଁ ପୁଣି ଥରେ ମୁସଫିକର ରହିମଙ୍କ ଭୂମିକା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିବ । ବାଂଲାଦେଶ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ ।

ତେବେ ବାତ୍ୟା ‘ମହା’ ଖେଳ ବିଗାଡ଼ିପାରେ । ଅର୍ଥାତ୍ ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଗୁଜରାଟ ଉପକୂଳକୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ବାତ୍ୟା ‘ମହା’ ଉଡ଼ାଇ ନେବାର ଯଥେଷ୍ଟ ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.