ଭାରତ ବନାମ ଅଷ୍ଟ୍ରେଲିଆ, ବ୍ରିସବେନ ଟେଷ୍ଟର ପଞ୍ଚମ ଦିନରେ କେମିତି ରହିବ ପାଣିପାଗ, କ’ଣ ବର୍ଷାରେ ଧୋଇଯିବ ସାରା ଦିନର ଖେଳ ?
18/01/2021 at 7:06 PM

ବ୍ରିସବେନ ୧୮।୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ୍ର ଚତୁର୍ଥ ତଥା ଶେଷ ମ୍ୟାଚ୍ ବ୍ରିସବେନର ଗାବାରେ ଖେଳା ଯାଉଛି। ସିରିଜ୍ ବର୍ତ୍ତମାନ ୧-୧ରେ ସମାନ ସ୍ଥିତିରେ ରହିଛି। ଶେଷ ମୁକାବିଲାରେ ତିନୋଟି ସମ୍ଭାବିତ ଫଳାଫଳ ମିଳିପାରେ। ମ୍ୟାଚ୍ର ଫଳାଫଳ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ମଙ୍ଗଳବାର ବ୍ରିସବେନର ପାଣିପାଗ ଖେଳକୁ ବିଗାଡି ପାରେ। ମଙ୍ଗଳବାର ବ୍ରିସବେନରେ ବର୍ଷାର ପୂର୍ବାନୁମାନ କରାଯାଇଛି। ଏପରିକି ପଞ୍ଚମ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇପାରେ କାରଣ ସୋମବାର ରାତି ସାରା ବର୍ଷା ହେବାର ସମ୍ଭାବନା ରହିଛି।
ଏହା ପୂର୍ବରୁ ଚତୁର୍ଥ ଦିନରେ ମଧ୍ୟ ବର୍ଷା କାରଣରୁ ଖେଳ ଶୀଘ୍ର ସମାପ୍ତ ହୋଇଥିଲା। ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ୨୯୪ ରନରେ ଅଲଆଉଟ୍ ହୋଇଛି। ଫଳରେ ପ୍ରଥମ ଇନିଂସରେ ୩୩ ରନର ଅଗ୍ରଣୀ ଭିତ୍ତିରେ ଘରୋଇ ଦଳ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ ଦେଇଛି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ବିନା ଓ୍ଵିକେଟ୍ରେ ୪ ରନ କରିଛି।
ପଞ୍ଚମ ଦିନରେ ବ୍ରିସବେନରେ କେମିତି ରହିବ ପାଣିପାଗ

ବ୍ରିସବେନରେ ମଙ୍ଗଳବାର ଥରେ କିମ୍ବା ଦୁଇ ଥର ପ୍ରବଳ ବର୍ଷା ହୋଇପାରେ। କେବଳ ଏତିକି ନୁହେଁ ଅପରାହ୍ନରେ ଝଡତୋଫାନ ହେବାର ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଛି। ପୂରା ଦିନର ତାପମାତ୍ରା ୨୦ ରୁ ୩୦ ଡିଗ୍ରୀ ମଧ୍ୟରେ ରହିପାରେ।
କେମିତି ରହିବ ପିଚ୍
ବ୍ରିସବେନର ପିଚ୍ ଚତୁର୍ଥ ଦିନରେ ଅସମାନ ଗତି ଏବଂ ବାଉନ୍ସ ଦେଖିବାକୁ ମିଳିଛି। ପିଚ୍ରେ ଫାଟ ବଡ ହେବାରେ ଲାଗିଛି। ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଏହାର ଖୁବ୍ ଫାଇଦା ଉଠାଇଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ଆଶା ରଖିଛି ଯେ, ଯଦି ଖେଳ ହୁଏ ତେବେ ଏହାର ଫାଇଦା ଉଠାଇ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଚାପରେ ରଖିବାକୁ ପ୍ରୟାସ କରିବ।