ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ବ୍ୟାଟିଂ କରିବ ଭାରତ

Published By : Prameya-News7 Bureau | January 17, 2020 IST

ରାଜକୋଟ ୧୭।୧: ରାଜକୋଟରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ୍ । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ । ଭାରତକୁ ପାଇଁ ଆଜିର ମ୍ୟାଚ୍ କର ବା ମର ପରିସ୍ଥିତିରେ ପକାଇଛି ।  

ରାଜକୋଟରେ ଟିମ୍ ଇଣ୍ଡିଆ ପାଇଁ ବିରାଟ ଚ୍ୟାଲେଞ୍ଜ । ପ୍ରଥମ ଦିନିକିଆରେ ଶୋଚନୀୟ ପରାଜୟ ଭୋଗିବା ପରେ ଦ୍ବିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ଆଜି କର ବା ମର ସ୍ଥିତି । ୱାଙ୍ଖଡେରେ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କର ଫ୍ଲପ୍ ଶୋ ପରେ ଆଜି ସବୁ ବିଭାଗରେ ଭାରତକୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ଅଧିନାୟକ କୋହଲି ମଧ୍ୟ ୪ ନମ୍ବର ପରିବର୍ତ୍ତେ ୩ ନମ୍ବରରେ ବ୍ୟାଟିଂ କରିପାରନ୍ତି ।

ଗତ ମ୍ୟାଚରେ କୋହଲି ୨୮ତମ ଓଭରରେ କ୍ରିଜକୁ ଆସିଥିଲେ । ତେଣୁ ଆଜିର ମ୍ୟାଚରେ ସେଥିରେ ପରିବର୍ତ୍ତନ ହେବା ପ୍ରାୟ ନିଶ୍ଚିତ । ଆରମ୍ଭରୁ ଭଲ ସ୍କୋର କରିବା ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ନିହାତି ଆବଶ୍ୟକ । ମିଚ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଓ କେନ୍ ରିଚାର୍ଡସନ୍ ଙ୍କ ଶାଣିତ ବୋଲିଂର ଉତ୍ତର ମଧ୍ୟ ଦେଇ ପାରିନିଥିଲେ ଇଣ୍ଡିଆନ ବ୍ୟାଟ୍ସମ୍ୟାନ୍ । 

ସେହିପରି ଇନଫର୍ମ କଙ୍ଗାରୁ ଓପନରଙ୍କୁ ରୋକିବାରେ ମଧ୍ୟ ବିଫଳ ହୋଇଥିଲେ ବୋଲର । ରାଜକୋଟରେ ତ୍ରୁଟି ନସୁଧାରିଲେ ପୁଣି ଥରେ ୱାର୍ଣ୍ଣର ଓ ଫିଞ୍ଚ ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରନ୍ତି । ସେହିପରି ସ୍ମିଥ୍, ଲାବୁସାଙ୍ଗେଙ୍କ ୱିକେଟ୍ ମଧ୍ୟ ଭାରତ ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ । ତେବେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ନିଜ କ୍ଷମତା ଅନୁସାରେ ପ୍ରଦର୍ଶନ କରିପାରିଲେ ବିରାଟ ବାହିନୀ ମ୍ୟାଚ୍ ଜିତିବ । ନହେଲେ ମ୍ୟାଚ୍ ସାଙ୍ଗକୁ ସିରିଜ ହାରିବା ସାର । ଦିନ ସାଢ଼େ ଗୋଟାଏରୁ ଖେଳାଯିବ ମୁକାବିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.