ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟକୁ ନେଇ ରାଜନୈତିକ ବୟାନବାଜି : ଓଡିଶାର ୪୨ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି

Published By : Prameya-News7 Bureau | November 16, 2018 IST

ଭୁବନେଶ୍ୱର ୧୬/୧୧ : ରିପବ୍ଲିକ୍ ଟିଭି ପରେ ପୁଣି ଆସିଲା ଇଣ୍ଡିଆ ଟିଭି – ସିଏନଏକ୍ସ ସର୍ଭେ ରିପୋର୍ଟ । ଏବେ ନିର୍ବାଚନ ହେଲେ ବିଜେଡି ୧୬ ଲୋକସଭା ସିଟ୍ ଓ ବିଜେପି ୫ ଲୋକସଭା ସିଟ୍ ଜିତିବ ବୋଲି ଇଣ୍ଡିଆ ଟିଭି ସର୍ଭେ ଦର୍ଶାଇଛି । ରିପବ୍ଲିକ୍ ଟିଭି କହିଥିଲା ବିଜେପି ୧୩ ସିଟ୍ ଓ ବିଜେଡି ୮ ସିଟ୍ ପାଇବ ବୋଲି । ଏବିପି ଟିଭି ସର୍ଭେ ବି ବିଜେପିକୁ ଅଧିକ୍ ୧୨ ସିଟ୍ ଦେଇଥିଲା । ତେବେ ମୋଦି ପୁରୀରୁ ନିର୍ବାଚନ ଲଢିଲେ ସ୍ଥିତି ରେ ପରିବର୍ତ୍ତନ ହୋଇପାରେ । ସର୍ଭେ ରିପୋର୍ଟକୁ ନେଇ ଏବେ ରାଜନୀତି ଜୋର । ଯେହେତୁ ବିଜେପିର ଭୋଟ୍ ସେୟାର ବଢୁଛି ତେଣୁ ଶେଷ ଆଡକୁ କିଛି ବି ବଡ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଛି ।…. ଯେତେ ସର୍ଭେ ସେତେ ରିପୋର୍ଟ , ସେତେ ପ୍ରକାରର ଚିତ୍ର । ଆଉ ସର୍ଭେକୁ ନେଇ ରାଜନୈତିକ ବୟାନବାଜି ଥମୁନି । ଏବେ ଯଦି ନିର୍ବାଚନ ହୁଏ ତେବେ କିଏ ପାଇବ କେତେ ଆସନ ।  ଇଣ୍ଡିଆ ଟିଭି- ସିଏନଏକ୍ସ ଓପିନିଅନ ପୋଲ କହିବା ଅନୁଯାୟୀ ବିଜେଡି ପାଇବ ୧୬ ଲୋକସଭା ସିଟ୍ । ବିଜେପି ମାତ୍ର ୫ଟି ସିଟରେ ଅଟକିଯିବ। କଂଗ୍ରେସ ଏଥରବି  ଲୋକସଭାରେ ଖାତା ଖୋଲିବା ସ୍ଥିତିରେ ନାହିଁ । କିଛିଦିନ ତଳେ ରିପବ୍ଲିକ୍ ଟିଭି- ସିଭୋଟର ଯେଉଁ ସର୍ଭେ କରିଥିଲେ ସେଥିରେ ବିଜେପି ୧୩ ଓ ବିଜେଡିକୁ ୮ ଲୋକସଭା ସିଟ୍ ପାଇବେ ବୋଲି ପୂର୍ବାନୁମାନ କରିଥିଲା । ଇଣ୍ଡିଆ ଟିଭି ସର୍ଭେ କିନ୍ତୁ ଏହାର ଠିକ୍‌ ଓଲଟା କହୁଛି । ଇଣ୍ଡିଆ ଟିଭି ଯେଉଁ ସର୍ଭେ କରିଛି ସେଥିରେ କିନ୍ତୁ ଗୋଟେ ବଡ କଥା ସାମ୍ନାକୁ ଆସିଛି । ବିଜେପିର ଭୋଟ ପର୍ସେଣ୍ଟେଜ୍ ୨୦୧୪ ତୁଳନାରେ ୭ ପ୍ରତିଶତ ଅଧିକ ହେବ । ୨୦୧୪ରେ ବିଜେପିର ଭୋଟ ସେୟାର ୨୨ ପ୍ରତିଶତ ଥିବାବେଳେ ଏବେ ତାହା ୨୯ ପ୍ରତିଶତରେ ପହଁଚିଲାଣି । ବିଜେଡି ୪ଥର ଲଗାତର କ୍ଷମତାରେ ରହିଲେ ବି ଏହାର ଭୋଟ ପ୍ରତିଶତ ମାତ୍ର ୧ ପ୍ରତିଶତ କମି ୪୪ ପ୍ରତିଶତ ହେବ ବୋଲି ସର୍ଭେ ଦର୍ଶାଇଛି । ସେପଟେ କଂଗ୍ରେସ ୨୦୧୪ ତୁଳନାରେ ୨୬ ପ୍ରତିଶତରୁ ଖସି ୨୨ ପ୍ରତିଶତକୁ ଆସୁଛି । ଅର୍ଥାତ କଂଗ୍ରେସର ଲସ୍ ରୁ ବିଜେପି ଫାଇଦା ଉଠାଉଛି । ଏତିକିବେଳେ ପୁରୀରୁ ଯଦି ମୋଦି ଲଢନ୍ତି ତାହାଲେ ଚିତ୍ର ଓଲଟପାଲଟ ହେବ ବୋଲି ଆକଳନ କରାଯାଉଛି । ଏକଥା ଆଲୋଚନା ହେଉଥିବାରୁ ବିଜେଡି ହଡବଡେଇ ଯାଇ ପୁରୀରେ ଜମିପଟା ବଣ୍ଟନ କାର୍ଯ୍ୟକ୍ରମ କରିଥିଲା ବୋଲି ବିଜେପି ନେତା କନକ ବର୍ଦ୍ଧନ ସିଂହ ଦେଓ ଟ୍ବିଟ କରିଛନ୍ତି । ବିଜେଡି କହିଛି ସର୍ଭେ ଯାହା କହିଲେ ବି ନବୀନଙ୍କ ଇମେଜ୍ ରେ ଦଳ ଭଲ ପ୍ରଦର୍ଶନ କରିବ । ଇଣ୍ଡିଆ ଟିଭି ସର୍ଭେ ମୁତାବକ ମୋଦିଙ୍କୁ ୪୨ ପ୍ରତିଶତ ଲୋକ ଓଡିଶାରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧିଙ୍କୁ ଓଡିଶାରେ ୧୯ ପ୍ରତିଶତ ଲୋକ ଚାହୁଁଛନ୍ତି । ସର୍ଭେ ହେଉଛି ଆଜିର ସ୍ଥିତି । ନିର୍ବାଚନ ମାହୋଲ ଆରମ୍ଭ ହେଲେ ସ୍ଥିତି ଆହୁରି ବଦଳିବ ଆଉ ଚିତ୍ର କେଉଂ ପଟକୁ ବି ଢଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.