ପଳାତକ ମେହୁଲ ଚୋକସି ବିରୋଧରେ ଭାରତର ବଡ ପଦକ୍ଷେପ, ଡୋମିନିକା ହାଇକୋର୍ଟରେ ସିବିଆଇ ଦାଖଲ କଲା ସତ୍ୟପାଠ

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ ୧୨।୦୬: ପିଏନବି ମହା ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ଚାରି ଆଡୁ ଘେରି ହୋଇ ଯାଇଛନ୍ତି। ପ୍ରଥମେ ଡୋମିନିକା କୋର୍ଟରୁ ତାଙ୍କୁ ଝଟକା ଲାଗିବା ପରେ ଏବେ ଭାରତ ଚୋକସିଙ୍କ ବିରୋଧରେ ବଡ ପଦକ୍ଷେପ ନେଇଛି। ଭାରତୀୟ ଯାଞ୍ଚ ଏଜେନ୍ସି ଚୋକସି ବିରୋଧରେ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଚୋକସିଙ୍କ ଅଡୁଆ ଆହୁରି ବଢିବାକୁ ଯାଉଛି।

ଏହି ସତ୍ୟପାଠ ସିବିଆଇ ଏବଂ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଡୋମିନିକା କୋର୍ଟରେ ଦାଖଲ କରାଯାଇଛି। ପ୍ରଥମ ଥର ଭାରତ କୌଣସି ଅନ୍ୟ ଦେଶର କୋର୍ଟରେ ସତ୍ୟପାଠ ଦାଖଲ କରିଛି। ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ମେହୁଲ ଚୋକସି ଅନ୍ତର୍ଜାତୀୟ ପଳାତକ। ତାଙ୍କ ବିରୋଧରେ ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମୋକଦ୍ଦମା ଚାଲିଛି। ମେହୁଲ ଚୋକସି ଅନ୍ତରାଷ୍ଟ୍ରୀୟ କୋର୍ଟରେ ମିଥ୍ୟା କହି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ସତ୍ୟପାଠରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ମେହୁଲ ଚୋକସି ବିରୋଧରେ ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି।

ଏହା ପୂର୍ବରୁ ମେହୁଲ ଚୋକସିଙ୍କୁ ଡୋମିନିକା ହାଇକୋର୍ଟ ଜୋରଦାର ଝଟକା ଦେଇଥିଲା। ହାଇକୋର୍ଟ ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିବା ମାମଲାରେ ମେହୁଲ ଚୋକସିଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଏହା ପୂର୍ବରୁ ମାଜିଷ୍ଟ୍ରେଟ୍ କୋର୍ଟରେ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଏହା ପରେ ଚୋକସି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଚୋକସି ଓ ନିରବ ମୋଦୀ ଭାରତରେ ପିଏନବି ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କା ଲୁଟି ଦେଶରୁ ଫେରାର ହୋଇ ଯାଇଛନ୍ତି। ନିରବ ବର୍ତ୍ତମାନ ଲଣ୍ଡନ ଜେଲ୍‌ରେ ବନ୍ଦୀ ଥିବା ବେଳେ ଚୋକସି ଆଣ୍ଟିଗୁଆ ଓ ବାରବୁଡାର ନାଗରିକତା ଗ୍ରହଣ କରି ସେଠାରେ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.