ଜାନୁଆରୀ ୮ରୁ ପୁଣି ବ୍ରିଟେନ୍କୁ ଉଡ଼ିବ ବିମାନ, ସପ୍ତାହରେ ୧୫ ଫ୍ଲାଇଟ୍କୁ ଅନୁମତି
1/01/2021 at 9:27 PM

ନୂଆଦିଲ୍ଲୀ ୦୧/୦୧: ବ୍ରିଟେନରେ କରୋନାର ନୂଆ ରୂପ ମିଳିବା ପରେ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ ଭାରତ ସରକାର। ଜାନୁଆରୀ ୩୧ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ଉଡ଼ିବନି ବୋଲି ଭାରତ ସରକାର ଘୋଷଣା କରିଥିଲେ। କିନ୍ତୁ ପୁଣି ଥରେ ଜାନୁଆରୀ ୮ରୁ ବ୍ରିଟେନକୁ ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁକ୍ରବାର କହିଛନ୍ତି।
ଏହା ସହ ଟ୍ବିଟ୍ କରି କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରୁ ବ୍ରଟେନକୁ ଏବଂ ବ୍ରିଟେନରୁ ପ୍ରତି ସପ୍ତାହରେ ୧୫ ବିମାନ ଉଡ଼ାଣ କରିବ। ଏହି କଟକଣା ଜାନୁଆରୀ ୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ୮ ଜାନୁଆରୀରୁ ଭାରତ ଓ ବ୍ରିଟେନ୍ ମଧ୍ୟରେ ବିମାନ ଉଡ଼ାଣ ପୁଣିଥରେ ଚାଲୁ ହେବ।
ନିକଟରେ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ଉଡ଼ାଣ ଉପରେ ଜାନୁଆରୀ ୩୧ ଯାଏ ରୋକ ଲଗାଇବାକୁ ନେଇ ଡିସେମ୍ବର ୩୦ରେ ସାନି ବିଜ୍ଞପ୍ତି ଜାରି କରିଥିଲା DGCA । ଠିକ୍ ଏହାର ଗୋଟିଏ ଦିନ ପରେ ବିମାନ ଉଡ଼ାଣକୁ ନେଇ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ନଜରରେ ରଖି ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ମାର୍ଚ୍ଚ ୨୩ରୁ ବନ୍ଦ ହୋଇଥିଲା। କିନ୍ତୁ ବନ୍ଦେ ଭାରତ ମିଶନ ଯୋଜନା ମାଧ୍ୟମରେ ସ୍ବତନ୍ତ୍ର ବିମାନ ଉଡ଼ାଣ ମେ’ ମାସରୁ ହେଉଥିଲା। ପରେ ପରେ ଭାରତ ୨୪ ଦେଶ ମଧ୍ୟରେ ଏୟାର ବବଲ୍ ଚଳାଚଳକୁ ପ୍ରାଧାନ୍ୟ ଦେଇଥିଲା।