କରୋନାକୁ ମାତ୍‌ ଦେବ ଭାରତ, ଆସନ୍ତା ୫ ମାସରେ ଉତ୍ପାଦନ ହେବ ଭ୍ୟାକସିନ୍‌ର ୨୧୬ କୋଟି ଡୋଜ୍‌

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଳୀ ୧୩/୫: ଭାରତରେ ଖୁବଶୀଘ୍ର ଟିକା ଅଭାବ ଦୂର ହେବାକୁ ଯାଉଛି। ଆସନ୍ତା ସପ୍ତାହରୁ ଋଷ କରୋନା ଟିକା ସ୍ପୁଟନିକ୍‌-ଭି ବଜାରରେ ଉପଲବ୍ଧ ହେବ। ଏହା ବ୍ୟତୀତ ଭାରତ ସରକାର ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି କରୋନା ଟିକା ଉତ୍ପାଦନ କରିବା ନେଇ ଘୋଷଣା କରିଛନ୍ତି। ନୀତି ଆୟୋଗର ସ୍ବାସ୍ଥ୍ୟ ସମିତି ସଦସ୍ୟ ଡାକ୍ତର ଭିକେ ପଲ୍‌ ଏନେଇ ସୂଚନା ଦେଇଛନ୍ତି।

ପଲ୍‌ କହିଛନ୍ତି, ‘ଦେଶରେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି କରୋନା ଟିକା ପ୍ରସ୍ତୁତ କରାଯିବ। ଏହି ଟିକା ସମ୍ପୂର୍ଣ୍ଣ ଭାବେ ଭାରତ ଏବଂ ଭାରତୀୟଙ୍କ ପାଇଁ ତିଆରି ହେବ।’ ଆଗାମୀ ଦିନରେ ସମସ୍ତଙ୍କୁ ଟିକା ମିଳିବ ଏନେଇ ସନ୍ଦେହ କରିବାର କୌଣସି ପ୍ରସଙ୍ଗ ନାହିଁ ବୋଲି ସେ କହିଛନ୍ତି। ଏଫଡିଏ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ମଞ୍ଜୁରି ପାଇଥିବା ଯେକୌଣସି ଔଷଧକୁ ଭାରତରେ ଅନୁମତି ମିଳିପାରିବ। ଏହି ସବୁ ଔଷଧ ଆମଦାନୀ ପାଇଁ ଦିନେ କି ଦୁଇ ଦିନରେ ଲାଇସେନ୍ସ ମିଳିପାରିବ।

ବିଦେଶୀ କମ୍ପାନୀକୁ ଭାରତୀୟ କମ୍ପାନୀ ସହ ମିଳିମିଶି କାମ କରିବାକୁ ଅଫର ଦିଆଯାଇଛି। ଜନସନ ଆଣ୍ଡ ଜନସହ ବହୁତ ଭଲ କାର୍ଯ୍ୟ କରିଛି। କିଛି ଦିନ ଭିତରେ ଏହା ଭାରତ ସରକାରଙ୍କ ପ୍ରସ୍ତାବକୁ ସ୍ବୀକାର କରିଥିବା ନେଇ ଡାକ୍ତର ପଲ୍‌ କହିଛନ୍ତି।  ଭାରତରେ ବିଦେଶୀ ଟିକାକୁ ଅନୁମତି ନେଇ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ସେ କହିଛନ୍ତି, ଡିପାର୍ଟମେଣ୍ଟ ଅଫ୍‌ ବାୟୋଟେକନୋଲୋଜି ଏବଂ ଅନ୍ୟ ସମ୍ବନ୍ଧିତ ବିଭାଗ ଆରମ୍ଭରୁ ଜନସନ୍‌ ଆଣ୍ଡ ଜନସନ, ଫଇଜର, ମଡର୍ଣ୍ଣା ଭଳି କମ୍ପାନୀ ସହ ସମ୍ପର୍କରେ ଅଛି। ଏହି ସବୁ କମ୍ପାନୀ ଯଦି ଭାରତକୁ ଟିକା ଦେବାକୁ ଚାହାଁନ୍ତି ଏବଂ ଭାରତରେ ଉତ୍ପାଦନ କରିବାକୁ ଚାହିଁବେ ତେବେ ଏଠାରେ ପାର୍ଟନର ଖୋଜିବୁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.