ଡ୍ରାଗନକୁ ପୁଣି ଝଟ୍କା ଦେଲା ଭାରତ: ଏବେ Made In China ଔଷଧ ଉପରେ ଲଗାଇବ ଆଣ୍ଟି ଡମ୍ପିଂ ଡ୍ୟୁଟି
4/09/2020 at 5:34 PM

ନୂଆଦିଲ୍ଲୀ ୦୪/୦୯: ବିସ୍ତାରବାଦୀ ଚୀନକୁ ପୁଣି ଏକ ଝଟକା ଦେଇଛି ଭାରତ । ଲଦାଖରେ ଚୀନ ସେନାର ମନମାନୀ ଜାରି ରହିଥିବା ବେଳେ ଡ୍ରାଗନକୁ ଗୋଟିଏ ପରେ ଗୋଟିଏ ଶିକ୍ଷା ଦେଉଛି ଭାରତ । ନିକଟରେ ଲୋକପ୍ରିୟ ଗେମିଂ ଆପ୍ ପବଜି ସମେତ ୧୧୮ଟି ଚାଇନିଜ୍ ଆପ ବ୍ୟାନ କରିଛନ୍ତି ଭାରତ ସରକାର । ଏବେ ଚୀନକୁ ଲାଗିଛି ଆଉ ଏକ ଝଟକା ।
ଚୀନରୁ ଭାରତକୁ ଆସୁଥିବା ଜଣାଶୁଣା ଆଣ୍ଟି ବ୍ୟାକ୍ଟେରିଆଲ ଔଷଧ ସିପ୍ରୋଫ୍ଲୋକ୍ସାସିନ୍ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଇବ ଭାରତ । ଘରୋଇ କମ୍ପାନୀଗୁଡ଼କର ହେଉଥିବା କ୍ଷତିକୁ ନଜରରେ ରଖି ଆମଦାନୀ ଜିନିଷ ଉପରେ ଦେଶ ଲଗାଉଥିବା ଶୁଳ୍କ ହିଁ ଆଣ୍ଟି ଡମ୍ପିଂ ଡ୍ୟୁଟି ।
ଚୀନରୁ ଆମଦାନୀ ହେଉଥିବା ଔଷଧ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି (ଅତିରିକ୍ତ ଶୁଳ୍କ) ଲଗାଇବାକୁ ନିଷ୍ପତ୍ତି ହୋଇଥିବା ନେଇ ଅକ୍ଟୋବର ୨ ତାରିଖରେ ଆର୍ଥିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହା ବ୍ୟତୀତ ଯଦି କୌଣସି ଔଷଧର ପ୍ରସ୍ତୁତି ଅନ୍ୟ ଦେଶରେ ହେଉଛି କିନ୍ତୁ ଏହାର ରପ୍ତାନୀ ଚୀନ କରୁଛି ତେବେ ଏହା ଉପରେ ମଧ୍ୟ ଲାଗିବ ଏହି ଶୁଳ୍କ ।
ସାଙ୍ଗୟୁ ଜିଙ୍ଗଜିନ୍ ଫାର୍ମାସିଟିକାଲ୍ କମ୍ପାନୀ ଲିମିଟେଡ୍, ଜେହଜିଆଙ୍ଗ ଲଙ୍ଗୁହା ଫାର୍ମାସିଟିକାଲ କମ୍ପାନୀ ଲିମିଟେଡ ଓ ଜେହଜିଆଙ୍ଗ ଗୌବାଙ୍ଗ ଫାର୍ମାସିଟିକାଲ କମ୍ପାନୀ ଲିମିଟେଡ ଭଳି ଚାଇନିଜ୍ କମ୍ପାନୀ ବ୍ୟତୀତ ଅନ୍ୟ ଦେଶର କମ୍ପାନୀ ଯଦି ଚୀନ ଜରିଆରେ ଔଷଧ ରପ୍ତାନୀ କରୁଥିବେ ତେବେ ସେମାନଙ୍କୁ ଆଣ୍ଟି ଡମ୍ପିଂ ଡ୍ୟୁଟି ଦେବାକୁ ପଡ଼ିବ ।
ସୂଚନାଯୋଗ୍ୟ ଯେ, ଘରୋଇ କମ୍ପାନୀଙ୍କ ଅଭିଯୋଗ ଆଧାରରେ ଯାଞ୍ଚ କରାଯାଇ ଏଭଳି ନିଷ୍ପତ୍ତି ହୋଇଛି । ଏହି ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ୨୦୧୫-୧୬ରେ ୧୧୭ ଟନ ଜିନିଷ ଆମଦାନୀ ହୋଇଥିବା ବେଳେ ଏପ୍ରିଲ ୨୦୧୮- ଜୁନ ୨୦୧୯ ମଧ୍ୟରେ ଜିନିଷ ଆମଦାନୀ ବଢ଼ି ୩୭୭ ଟନ୍ରେ ପହଞ୍ଚିଥିଲା । ତେବେ ଘରୋଇ ଉଦ୍ୟୋଗଙ୍କୁ କ୍ଷତିରୁ ବଞ୍ଚାଇବା ପାଇଁ ଚୀନରୁ ହେଉଥିବା ଆମଦାନୀ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଇବାକୁ ସୁପାରିଶ ହୋଇଥିଲା ।