ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଆଜି ଘୋଷଣା ହେବ ଭାରତୀୟ ଦଳ : ରାହୁଲଙ୍କ ସ୍ଥାନରେ ଓପନିଂ କରିପାରନ୍ତି ରୋହିତ, ହାର୍ଦ୍ଦିକ କରିବେ କମ୍‌ବ୍ୟାକ୍

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ ୧୨।୯: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟେଷ୍ଟ ଶୃଙ୍ଖଳା ପାଇଁ ଆଜି ଘୋଷଣା ହେବ ଭାରତୀୟ ଦଳ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ବାଜି ମାରିଥିବା ଟେଷ୍ଟ୍ ଦଳରେ ବିଶେଷ କିଛି ପରିବର୍ତ୍ତନ କରିବାର ଆଭାସ ଦେଇନଥିଲେ ମଧ୍ୟ ଓପନିଂ ସ୍ଲଟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ଲୋକେଶ ରାହୁଲଙ୍କ ଫର୍ମକୁ ନେଇ ଚିନ୍ତିତ ଅଛନ୍ତି ଚୟନକର୍ତ୍ତା । ରାହୁଲ ୩୬ ଟେଷ୍ଟ୍ ଖେଳିଥିଲେ ମଧ୍ୟ ଶେଷ ୭ଟି ମ୍ୟାଚ୍ ରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିବାରେ ବିଫଳ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ରୋହିତ ଶର୍ମା ଓପନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

ସେହିପରି ଗତ ଶୃଙ୍ଖଳାରେ ଘରୋଇ କ୍ରିକେଟ୍ ଏବଂ ଭାରତ-ଏ ପକ୍ଷରୁ ଖେଳି ଭଲ ରନ୍ କରିଥିବା ବେଙ୍ଗଲ ତାରକା ଅଭିମନ୍ୟୁ ଈଶ୍ବରନଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବିଶ୍ରାମ ପାଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଦଳକୁ ଫେରିବା ନିଶ୍ଚିତ ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାରେ ଆରମ୍ଭ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.