୩୫ ଦିନ ଭିତରେ ୧୦ କ୍ଷେପଣାସ୍ତ୍ର ପରୀକ୍ଷଣ, ଚୀନ ସହ ଉତ୍ତେଜନା ମଧ୍ୟରେ ନିଜ ଶକ୍ତିକୁ ଆହୁରି ମଜଭୁତ କରୁଛି ଭାରତ

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୧୦।୧୦: ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ) ଆଗାମୀ ସପ୍ତାହରେ ୮୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ନିର୍ଭୟ ସବ-ସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରିବାକୁ ଯାଉଛି। ସ୍ଥଳ ଓ ନୌସେନାରେ ଆନୁଷ୍ଠାନିକ ଭାବେ ଏହା ସାମିଲ ହେବା ପୂର୍ବରୁ ଅନ୍ତିମ ଥର ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ।

ଡିଆରଡିଓ ତରଫରୁ ଗତ ୩୫ ଦିନରେ ଏହା ୧୦ମ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ। ଚୀନ ଏଲଏସିରୁ ପଛକୁ ହଟିବାକୁ ମନା କରିବା ପରେ ଡିଆରଡିଓ ମେଡ୍ ଇନ ଇଣ୍ଡିଆ ଆଧାରରେ ଦ୍ରୁତ ଗତିରେ ସାମରିକ ଆଣବିକ ଅସ୍ତ୍ର ଶସ୍ତ୍ର ଓ ପାରମ୍ପରିକ କ୍ଷେପଣାସ୍ତ୍ର ବିକଶିତ କରିବାରେ ଲାଗିଛି। ପ୍ରାୟ ଏକ ମାସ ଭିତରେ ପ୍ରତି ଚାରି ଦିନରେ ଗୋଟିଏ ମିସାଇଲ ପରୀକ୍ଷଣ କରାଯାଇଛି। ଚୀନର ପିପୁଲ୍ସ ଲିବେରେସନ ଆର୍ମି ଚଳିତ ବର୍ଷ ସର୍ବ ପ୍ରଥମେ ଭାରତୀୟ ସେନା ସହିତ ଲଦାଖର ପ୍ୟାଙ୍ଗଙ୍ଗ ସ ହ୍ରଦ ନିକଟରେ ଭାରତୀୟ ଯବାନଙ୍କ ସହ ରକ୍ତାକ୍ତ ସଂଘର୍ଷ କରିଥିଲେ। ଏହି ଘଟଣା ପରେ ପୂର୍ବ ଲଦାଖରେ ଚାରୋଟି ସ୍ଥାନରେ ହିଂସା ବ୍ୟାପି ଯାଇଛି।

ପ୍ରକଳ୍ପ ସହ ଜଡିତ କ୍ଷେପଣାସ୍ତ୍ର ବିଶେଷଜ୍ଞ କହିଛନ୍ତି ଯେ ଡିଆରଡିଓକୁ ଚୀନ ସହ ଉତ୍ତେଜନା ମଧ୍ୟରେ ଫାଷ୍ଟ ଟ୍ରାକ ଆଧାରରେ କ୍ଷେପଣାସ୍ତ୍ର ପରୀକ୍ଷଣ ପ୍ରକ୍ରିୟା ପୂରା କରିବାକୁ କୁହାଯାଇଛି। କାରଣ ବିଶ୍ଵାସଘାତ ଚୀନଠୁ ସୀମାରେ ଶାନ୍ତି ପାଇଁ କୌଣସି ପ୍ରତିବଦ୍ଧତା ଆଶା କରିବା ବୃଥା।

ସର୍ବ ପ୍ରଥମେ ସେପ୍ଟେମ୍ବର ୭ରେ ହାଇପରସୋନିକ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଭେଇକିଲ(ଏସଏସଟିଡିଭି)ର ପରୀକ୍ଷଣ କରାଯାଇଥିଲା। ଏହା ପରେ ପରବର୍ତ୍ତୀ ଚାରି ସପ୍ତାହରେ ଡିଆରଡିଓ ସୁପରସୋନିକ କ୍ରୁଜ ମିସାଲଇ ବ୍ରହ୍ମୋସର ପରବର୍ତ୍ତୀ ସଂସ୍କରଣର ପରୀକ୍ଷଣ କରିଥିଲା। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୦୦ କିଲୋମିଟର ରହିଛି। ଏହା ପରେ ଆଣବିକ ସଂପନ୍ନ ଶୌର୍ଯ୍ୟ ସୁପରସୋନିକ ମିସାଇଲର ପରୀକ୍ଷଣ କରାଯାଇଛି। ଏହା ଧ୍ଵନିଠୁ ଦୁଇରୁ ତିନି ଗୁଣ ଅଧିକ ବେଗରେ ଗତି କରିବାରେ ସକ୍ଷମ।ଅକ୍ଟୋବର ୯ରେ ଭାରତ ପ୍ରଥମ ସ୍ଵଦେଶୀ ବିକିରଣ ନିରୋଧୀ ମିସାଇଲ ରୁଦ୍ରମ-୧ର ସଫଳ ପରୀକ୍ଷଣ କରିଛି। ଏହି ସବୁ କ୍ଷେପଣାସ୍ତ୍ର ମିଳିଲେ ଭାରତୀୟ ବାୟୁସେନାର ଶକ୍ତି ଅନେକ ଗୁଣ ବୃଦ୍ଧି ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.