ଟିମ୍କୁ ଫେରିଲେ ବୁମରାହ ଓ ଧାୱନ, ଖେଳିବେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍
23/12/2019 at 6:10 PM

ମୁମ୍ବାଇ ୨୩।୧୨: ଆଗାମୀ ଜାନୁୟାରୀରେ ଶ୍ରୀଲଙ୍କ ଟି-୨୦ ଓ ଅଷ୍ଟ୍ରେଲିଆ ୱାନଡେ ସିରିଜ୍ ଲାଗି ସୋମବାର ଟିମ୍ ଇଣ୍ଡିଆର ଘୋଷଣା ହୋଇଛି। ଚୟନ ସମିତି ଅଧ୍ୟକ୍ଷ ଏମ.ଏସ.କେ. ପ୍ରସାଦ ଘୋଷଣା କରିଥିବା ଟିମ୍ରେ ଆହତ କାରଣ ଯୋଗୁ ଏପର୍ଯ୍ୟନ୍ତ ଟିମରୁ ବାହାରେ ରହିଥିବା ଯଶପ୍ରୀତ ବୁମରାହ ଓ ଶିଖର ଧାୱନଙ୍କୁ ସ୍ଥାନ ମିଳିଛି। ତେବେ ରୋହିତ ଶର୍ମା ଓ ମହମ୍ମଦ ଶମୀଙ୍କୁ ଶ୍ରୀଲଙ୍କା ଟି-୨୦ରୁ ବାଦ ଦିଆଯାଇଛି। କିନ୍ତୁ ଉଭୟ ଖେଳାଳି ଅଷ୍ଟ୍ରେଲିଆ ୱାନଡେ ସିରିଜ ଲାଗି ଖେଳାଳି ତାଲିକାରେ ରହିଛନ୍ତି।

ବୁମରାହ ଗତ ୪ ମାସ ହେଲା ଟିମ୍ ରୁ ବାହାରେ ଥିଲେ। ଗତ ସେପ୍ଟେମ୍ବର ମାସରେ ତାଙ୍କ ଷ୍ଟ୍ରେସ୍ ଫ୍ୟାକ୍ଚରର ଟ୍ରିଟ୍ମେଣ୍ଟ କରାଯାଇଥିଲା। ତେବେ ବିଶାଖାପାଟଣାରେ ୱେଷ୍ଟେଇଣ୍ଡିଜ୍ ବିପକ୍ଷରେ ହୋଇଥିବା ନେଟ୍ ସେସନରେ ବୁମରାହଙ୍କୁ ଦେଖାଯାଇଛି। ନେଟ୍ରେ ବୁମରାହ ବୋଲିଂ କରୁଥିଲେ। ସେହିପରି ଶୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳୁଥିବା ବେଳେ ଆହତ ହୋଇଥିଲେ। ଫଳରେ ପରବର୍ତ୍ତି ମ୍ୟାଚ୍ଗୁଡିକରେ ସେ ଟିମ୍ ଇଣ୍ଡିଆରୁ ବାଦ ପଡିଥିଲେ। ତେବେ ଦୀର୍ଘ ସମୟ ଧରି ଟିମ୍ରେ ଖେଳିଆସୁଥିବା ବ୍ୟାଟସ୍ମ୍ୟାନ୍ ରୋହିତ ଶର୍ମା ଓ ବୋଲର ମହମ୍ମଦ ଶମୀଙ୍କୁ ଶ୍ରୀଲଙ୍କା ଟି-୨୦ରେ ବିଶ୍ରାମ ଦିଆଯାଇଛି।

୨୦୨୦ ଜାନୁୟାରୀ ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା। ଏହି ଗସ୍ତକାଳରେ ଟିମ୍ ଇଣ୍ଡିଆ ସହ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଏଥିରୁ ଜାନୁୟାରୀ ୫ ତାରିଖରେ ପ୍ରଥମ ଟି-୨୦ ଗୌହାଟୀରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟଟି ୭ ତାରିଖ ଦିନ ଇନ୍ଦୋରରେ ଓ ଚୂଡାନ୍ତ ମ୍ୟାଚ୍ ଜାନୁୟାରୀ ୧୦ ତାରିଖ ଦିନ ପୁଣେରେ ଖେଳାଯିବ। ଶ୍ରୀଲଙ୍କା ଟୁର ପରେ ପରେ ଅଷ୍ଟ୍ରେଲିଆ ଟିମ୍ ଭାରତ ଗସ୍ତରେ ଆସିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ୱାନଡେ ଖେଳାଯିବ। ଏଥିରୁ ପ୍ରଥମ ମ୍ୟାଚ୍ ଜାନୁୟାରୀ ୧୪ ତାରିଖ ଦିନ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୧୭ ତାରିଖ ଦିନ ରାଜକୋଟ୍ରେ ଓ ୧୯ ତାରିଖ ତୃତୀୟ ମ୍ୟାଚ୍ ବେଙ୍କାଲୁରୁରେ ଖେଳାଯିବ।