ଚୀନକୁ ଆଉ ଏକ ଝଟକା ଦେଲା ଭାରତ, ଡ୍ରାଗନ ବିରୋଧରେ ଏକଜୁଟ୍ ହେଲେ ଦୁନିଆର ୬୨ ଦେଶ

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ ୧୮।୦୫: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଆସନ୍ତାକାଲି ଅର୍ଥାତ ମଙ୍ଗଳବାରଠୁ ବାର୍ଷିକ ବୈଠକ ଆରମ୍ଭ ହେବାକୁ ଯାଉଛି। ଏହି ବୈଠକରେ କରୋନା ଭୂତାଣୁ ସଂକ୍ରମଣ ପ୍ରସଙ୍ଗ ଛାଇ ରହିବା ସ୍ଵାଭାବିକ। କରୋନା ଭୂତାଣୁ ମହାମାରୀ ନେଇ ବିଶ୍ଵର ଅନେକ ଦେଶ ଚୀନର ଭୂମିକା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। କରୋନା ଭୂତାଣୁ ମହାମାରୀ ଓ ଚୀନର ଭୂମିକାକୁ ନେଇ ଭାରତ ଏ ପର୍ଯ୍ୟନ୍ତ ନିରବ ରହିଥିଲା। ମାତ୍ର ଭାରତ ଏବେ ନିରବତା ଭାଙ୍ଗୁଥିବା ଜଣା ପଡିଛି। ସର୍ବ ପ୍ରଥମେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଏହି ଭୂତାଣୁ ପ୍ରାକୃତିକ ନୁହେଁ ଏବଂ ଏହାକୁ ଲ୍ୟାବ୍‌ରେ ହିଁ ପ୍ରସ୍ତୁତ କରାଯାଇଛି।

ନୀତିନ ଗଡକରୀ ଏହି ବୟାନ ଦେବାରୁ ଲାଗୁଥିଲା ଏହା ତାଙ୍କର ବ୍ୟକ୍ତିଗତ ମତ ହୋଇଥିବ ଏବଂ ଭାରତ ସରକାର ଏଥିରେ ସହମତ ହେବେ ନାହିଁ।  ମାତ୍ର ଡବ୍ଲ୍ୟୁଏଚଓର ବୈଠକ ପାଇଁ ଡ୍ରାଫ୍ଟ ପ୍ରସ୍ତାବ ଅନୁସାରେ ଭାରତ କରୋନା ଭୂତାଣୁ ପଶୁଠୁ ବ୍ୟାପିଛି ନା ମଣିଷଠୁ ବ୍ୟାପିଛି  ଏହାର ଯାଞ୍ଚ ଦାବିକୁ ସମର୍ଥନ କରିଛି। ଏହା ଜାଣିବାକୁ ଚାହିଁଛି ଯେ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ମହାମାରୀକୁ ନେଇ କେତେ ନିରପେକ୍ଷ ରହିଛି। ଭାରତର ଏହି ଆଭିମୁଖ୍ୟ ଚୀନକୁ ଝଟକା ସଦୃଶ  ହୋଇଛି। କାରଣ ଚୀନ ଭାବୁଥିଲା ଯେ  ଭାରତ ଏହି ପ୍ରସଙ୍ଗରେନିରବ ରହିବ, ଯେମିତି ଏ ଯାଏ ନିରବ ରହିଥିଲା।

{"id":272075,"sizeSlug":"large"}

ଏହା ପୂର୍ବରୁ ୟୁରୋପ ଓ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଧରଣର ଯାଞ୍ଚ ଦାବି ଉଠିଛି। ଭାରତ ପ୍ରଥମ ଥର ଏହି ପରି ଯାଞ୍ଚର ଦାବି କରୁଥିବା ଦେଶଙ୍କ ସହିତ ସାମିଲ ହେବାକୁ ଔପଚାରିକ ଭାବେ ସମ୍ମତି ପ୍ରକାଶ କରିଛି।  ଯାହା ଚୀନର ଚିନ୍ତାକୁ ବଢାଇ ଦେଇଛି। କରୋନା ଭୂତାଣୁ ସଂକ୍ରମଣ ଚୀନର ଉହାନ ସହରରୁ ଗତ ବର୍ଷ ଡିସେମ୍ବରରୁ ବ୍ୟାପିବା ଆରମ୍ଭ ହୋଇଥିଲା। ଏବେ ଏହି ଭୂତାଣୁ ପୂରା ବିଶ୍ଵକୁ କବଳିତ କରିଛି। ଏହି ମହାମାରୀରେ ତିନି ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ମାସରେ ଜି-୨୦ ସମ୍ମିଳନୀରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରେ ସୁଧାର ଓ ପାରଦର୍ଶିତାର କଥା କହିଥିଲେ।

କରୋନା ମହାମାରୀର ଯାଞ୍ଚ କରାଯିବାକୁ ୬୨ଟି ଦେଶ ସମର୍ଥନ କରିଛନ୍ତି। ଏଥିରେ ଭାରତ ସହିତ ବାଂଲାଦେଶ, କାନାଡା, ରୁଷ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ, ୟୁକେ ଓ ଜାପାନ ମଧ୍ୟ ସାମିଲ। କିନ୍ତୁ ଡବ୍ଲ୍ୟୁଏଚଓର ପ୍ରସ୍ତାବରେ ଚୀନ କିମ୍ବା ଉହାନର ଉଲ୍ଲେଖ ନାହିଁ। ମାତ୍ର ଏହା କୁହାଯାଇଛି ଯେ, ଡବ୍ଲ୍ୟୁଏଚଓ ଏହାର ତଦନ୍ତ କରୁ ଯେ, ଏହି ଭାଇରସ୍‌ କେଉଁଠୁ ଉତ୍ପନ ହୋଇଛି।

{"id":272076,"sizeSlug":"large"}

ସାତ ପୃଷ୍ଠା ବିଶିଷ୍ଠ ପ୍ରସ୍ତାବରେ ଡବ୍ଲ୍ୟୁଏଚଓର ଭୂମିକାର ଯାଞ୍ଚ ହେବା କଥା କୁହାଯାଇଛି।  ଏହି ପ୍ରସ୍ତାବ ଚୀନ ବିରୋଧରେ ରହିଛି ଏବଂ ଏହି ଦେଶକୁ ଉତ୍ତର ଦେବାକୁ ପଡିବ। କରୋନା ମହାମାରୀର ଉତ୍ପତିକୁ ନେଇ ଅନ୍ତରାଷ୍ଟ୍ରୀୟ ଯାଞ୍ଚକୁ ସମର୍ଥନ ମିଳିବାରୁ ଚୀନକୁ ନିଜର ଛବି ମଳିନ ପଡିବାର ଭୟ ରହିଛି।

ଚୀନ ମିଡିଆରେ ଏହି ପ୍ରସ୍ତାବକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ୍ ଟାଇମ୍ସ ଲେଖିଛି ଯେ, କରୋନା ଭାଇରସ୍‌ ମହାମାରୀର ଉତ୍ପନକୁ ନେଇ ହେବାକୁ ଥିବା ଯାଞ୍ଚ ନିରପେକ୍ଷ ହେବା ଉଚିତ୍। ଖବର କାଗଜର କହିବା କଥା, ଯାଞ୍ଚ ରାଜନୈତିକ ନହୋଇ ବୈଜ୍ଞାନିକ ଓ ପାରଦର୍ଶୀ  ହେବା ଉଚିତ୍। ଚୀନ କୌଣସି ପ୍ରକାରର ବୈଜ୍ଞାନିକ ଯାଞ୍ଚକୁ ବିରୋଧ କରୁ ନାହିଁ। ମାତ୍ର ଆମେରିକା ଏଜେଣ୍ଡା ହିସାବରେ ତଦନ୍ତକୁ ବିରୋଧ କରୁଛି। ଯେଉଁ ଦେଶ ଆମେରିକା ଓ ଅଷ୍ଟ୍ରେଲିଆର ପ୍ରୋପାଗାଣ୍ଡାକୁ ସମର୍ଥନ ଦେଉଛନ୍ତି, ସେମାନଙ୍କର ଚୀନ ପ୍ରତି ଥିବା ରାଜୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇ ଯାଉଛି।  

{"id":272077,"sizeSlug":"large"}

ଚୀନ ଉପରେ ଆରୋପ ଲାଗିଛି ଯେ, ଏହି ଦେଶ କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ସୂଚନାକୁ ଲୁଚାଇ ରଖିଲା ଏବଂ ଏହାର ବାସ୍ତବିକତା ନେଇ ଦୁନିଆକୁ ଅନ୍ଧାରରେ ରଖିଲା। ଏହାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଜୋରଦାର ବାକ୍ ଯୁଦ୍ଧ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି କହିଛନ୍ତି ଯେ, କରୋନା ଭାଇରସ୍‌ ଚୀନରୁ ଲ୍ୟାବ୍‌ରୁ ହିଁ ଉତ୍ପନ ହୋଇଛି ଏବଂ ଏହାକୁ ନେଇ ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.