୨୬ ତାରିଖରେ ଭାରତ ବନ୍ଦ ! ନୂଆ କୃଷି ଓ ଶ୍ରମିକ ନୀତି ବିରୋଧରେ ଗର୍ଜିବେ ୧୦ ଶ୍ରମିକ ସଙ୍ଗଠନ

Published By : Prameya-News7 Bureau | November 19, 2020 IST

ଭୁବନେଶ୍ୱର,୧୯/୧୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତି ଓ ଶ୍ରମ ନୀତିକୁ ବିରୋଧ କରି ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଙ୍ଗଠନ ।  ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଭାରତ ବନ୍ଦରେ କେନ୍ଦ୍ର ସରକାରୀ କର୍ମଚାରୀ ଫେଡେରେସନ, ରାଜ୍ୟ ସରକାରୀ କର୍ମଚାରୀ ଫେଡେରେସନ, ବ୍ୟାଙ୍କ କର୍ମଚାରୀ ୟୁନିଅନ, ଜୀବନ ବୀମା କର୍ମଚାରୀ ୟୁନିଅନ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ସେହିପରି ଓଡ଼ିଶାରେ ଆଇଏନଟିୟୁସି, ସିଟୁ, ଏଆଇଟିୟୁସି, ହିନ୍ଦ ମଜଦୁର ସଭା, ଏଆଇସିସିଟୁୟୁ ଆଦି ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ରାଜ୍ୟରେ ବନ୍ଦ ପାଳନ କରିବେ । ଏହି ବନ୍ଦ ପାଳନକୁ ବାମପନ୍ଥୀ ଦଳ ମଧ୍ୟ ସମର୍ଥନ କରୁଛି । ତେବେ ଅନ୍ୟ ରାଜନୈତିକ ଦଳକୁ ବନ୍ଦ ଡାକରାରେ ସାମିଲ ହେବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀ ବିରୋଧୀ କୃଷି ଆଇନ ଆଣିଛନ୍ତି । ଏହାଦ୍ୱାରା ଚାଷୀମାନେ କ୍ଷତି ସହିବେ। କେବଳ ଶିଳ୍ପପତି ଓ ଉଦ୍ୟୋଗପତି ହିଁ ଲାଭବାନ ହେବେ। ସେହିପରି ୨୯ଟି ଶ୍ରମିକ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି । ୪ଟି ନୂଆ ଶ୍ରମ କୋଡ୍‌ ଲାଗୁ କରିଛନ୍ତି । ଏହାସହ ୧୩ଟି ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି । ଏଥିଯୋଗୁ ଦେଶର ପ୍ରାୟ ୪୦ କୋଟି ଶ୍ରମିକ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି । କେବଳ ଓଡ଼ିଶାର ଦେଢ଼ କୋଟି ଶ୍ରମିକ ପ୍ରଭାବିତ ହେବ । ତେବେ ଆସନ୍ତା ୨୬ ତାରିଖ ବନ୍ଦ ପାଳନ ନେଇ ଗୁରୁବାର ଶ୍ରମିକ ସଂଗଠନମାନଙ୍କର ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ବନ୍ଦ ପାଳନ ନେଇ ରାଜନୈତିକ ଦଳକୁ ଚିଠି ଲେଖି ସମର୍ଥନ ମଗାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.