ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ୍ : ପ୍ରଥମ ମୁକାବିଲାରେ ଟିମ୍ ଇଣ୍ଡିଆ ଫେଭରେଟ୍, ବରୁଣ କରିପାରନ୍ତି ପଦାର୍ପଣ

Published By : Prameya-News7 Bureau | July 25, 2021 IST

ନୂଆଦିଲ୍ଲୀ,୨୫/୦୭: ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜରେ ବିଜୟୀ ହେବା ପରେ ଏବେ ଟି୨୦ ସିରିଜ ଉପରେ ଲକ୍ଷ୍ୟ ରଖିଛି । ରବିବାର ସିରିଜର ପ୍ରଥମ ଟି୨୦ ମୁକାବିଲା ଖେଳାଯିବ । ଏହି ସିରିଜରେ ମଧ୍ୟ କୋଚ ରାହୁଲ ଦ୍ରାବିଡ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି । ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ରବିବାର ପଦାର୍ପଣ କରିପାରନ୍ତି ।

ସେ ଦୁଇ ଥର ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ସୁଯୋଗ ମିଳିନଥିଲା । ଏବେ ସେ ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି । ଭାରତ ହେଉଛି ଟି୨୦ ଫର୍ମାଟର ଦ୍ୱିତୀୟ ସଫଳ ଟିମ୍ । କିନ୍ତୁ ଶ୍ରୀଲଙ୍କା ଟି୨୦ରେ ଦୁର୍ବଳ ଟିମ୍ । ଦଳ ସର୍ବାଧିକ ୭୧ଟି ମୁକାବିଲା ହାରିଛି । ଏହା ମଧ୍ୟରେ ଭାରତ ଦିନିକିଆର ସଫଳତା ଦୋହରାଇବାକୁ ପ୍ରୟାସ କରିବ । ଦଳକୁ ସିରିଜ ଜିତିବାରେ ଅଧିକ ପରିଶ୍ରମ କରିବାକୁ ହେବ ନାହିଁ ।

ତେବେ ଶ୍ରୀଲଙ୍କା ଶେଷ ଦୁଇଟି ଦିନିକିଆରେ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲା । ଦ୍ୱିତୀୟ ମ୍ୟାଚରେ ଦୀପକ ଚହରଙ୍କ ଦମଦାର ବ୍ୟାଟିଂ ବିଜୟ ଦେଇଥିଲା । ଏହାସହ ଶେଷ ଦିନିକିଆରେ ଦଳ ୫ଟି ପରିବର୍ତ୍ତନ କରିଥିଲା । ଏହାର ଫାଇଦା ଶ୍ରୀଲଙ୍କାକୁ ମିଳିଥିଲା । ଫଳରେ ସିଂହଳ ସହଜରେ ମ୍ୟାଚ୍ ଜିତିନେଇଥିଲା ।

ଏବେସୁଦ୍ଧା ଭାରତ ଓ ଶ୍ରୀଲଙ୍କା ୧୯ଟି ଟି୨୦ ମୁକାବିଲା ଖେଳିଛନ୍ତି । ଭାରତ ୧୩ଟି ମୁକାବିଲା ଜିତିଥିବା ବେଳେ ଶ୍ରୀଲଙ୍କା ୫ଟି ମୁକାବିଲା ଜିତିଛି । ଉଭୟ ଦଳ ୭ଟି ଦ୍ୱିପାକ୍ଷିକ ମୁକାବିଲା ଖେଳିଛନ୍ତି । ଭାରତ ୬ଟି ସିରିଜ ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି । ଶ୍ରୀଲଙ୍କା ଏବେସୁଦ୍ଧା ଗୋଟିଏ ବି ସିରିଜ୍ ଜିତିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.