ତୁର୍କୀକୁ ଭାରତର କଡା ଜବାବ, 'କାଶ୍ମୀର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଅଯଥା ହସ୍ତକ୍ଷେପ କରନାହିଁ'

Published By : Prameya-News7 Bureau | September 23, 2020 IST

ନ୍ୟୁୟର୍କ, ୨୩ ।୦୯:  ସଂଯୁକ୍ତ ରାଷ୍ଟ୍ର ମହାସଭା ବା ୟୁଏନରେ ତୁର୍କୀ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନ ସମର୍ଥନରେ ବାହାରିବା ସହ ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଛି ।  ତେବେ ଏହାର ଜବାବ ଦେଇଛି ଭାରତ । ତୁର୍କୀ ରାଷ୍ଟ୍ରପତି ତେୟବ୍ ଏରଡୋଗାନଙ୍କ ବୟାନକୁ ଭାରତ ତୀବ୍ର ବିରୋଧ କରିଛି ।

ୟୁଏନରେ ଭାରତ ତୁର୍କୀର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । ଏହାସହ କହିଛି ଯେ, ତୁର୍କୀ ଅନ୍ୟ ଦେଶର ସାର୍ବଭୌମତାକୁ ସମ୍ମାନ ଦେବା ଉଚିତ । ଅନ୍ୟ କଥା ବିଚାର ନକରି ତୁର୍କୀ ନିଜ ନୀତି ଉପରେ ଗୁରୁତ୍ୱ ଦେଉ । କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଗ୍ରହଣୀୟ ନୁହେଁ ।

ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ତୁର୍କୀର ବୟାନ ଶୁଣିଛି । ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଅନୁଚିତ । ତୁର୍କୀର ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଉଛି । ତୁର୍କୀ ଅନ୍ୟ ଦେଶ କଥା ଚିନ୍ତା ନକରି ନିଜ ନୀତି ଉପରେ ବିଚାର କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, ୟୁଏନରେ ତୁର୍କୀ ରାଷ୍ଟ୍ରପତି କହିଥିଲେ ଯେ, କାଶ୍ମୀର ପ୍ରସଙ୍ଗ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗ ଏକ ଜ୍ୱଳନ୍ତ ନିଆ ସଦୃଶ । ବିଶେଷ ଅଧିକାର ହଟିବା ପରେ କାଶ୍ମୀରରେ ଅନେକ ସମସ୍ୟା ଉପୁଜିଛି । କାଶ୍ମୀର ଲୋକଙ୍କୁ ଉପେକ୍ଷା କରାଯାଉଛି । ଏହି ପ୍ରସଙ୍ଗର ସମାଧାନ ଜରୁରୀ । ଏହାପୂର୍ବରୁ ମଧ୍ୟ ପାକିସ୍ତାନର ସହଯୋଗୀ ତୁର୍କୀ ଗତବର୍ଷ ୟୁଏନରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.