POKରେ ବିଧାନସଭା ନିର୍ବାଚନକୁ ନେଇ ଭାରତର କଡା ପ୍ରତିକ୍ରିୟା: କହିଲା, ‘ନିର୍ବାଚନ ଅବୈଧ, ସଂପୃକ୍ତ ଅଞ୍ଚଳକୁ ତୁରନ୍ତ ଖାଲିକରୁ ପାକିସ୍ତାନ’

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯/୦୭ : ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ନିର୍ବାଚନ କରାଯିବାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଯେଉଁଠାରେ ନିର୍ବାଚନ କରାଯାଇଛି ସେଠାରେ ପାକିସ୍ତାନର କୌଣସି ଅଧିକାର ନାହିଁ । ସେଗୁଡିକ ହେଉଛି ଭାରତର ସୀମା । ପାକିସ୍ତାନ ସେଗୁଡିକୁ ଅବୈଧ ଭାବେ କବ୍‌ଜା କରିଛି । ସେହି ସବୁ ସ୍ଥାନ ଗୁଡିକୁ ତୁରନ୍ତ ଖାଲି କରାଯିବା ଆବଶ୍ୟକ । ଉକ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ କଡା ଚେତାବନୀ ଦେଇଛି ଭାରତୀୟ ବିଦେଶ ମନ୍ତ୍ରାଳୟ ।

ବିଦେଶ ମନ୍ତ୍ରାଳୟ କହିଛି ଯେ, ପାକିସ୍ତାନ ଅବୈଧ କବ୍‌ଜା କରିଥିବା ଭାରତୀୟ ସୀମାଗୁଡିକରେ ନିର୍ବାଚନ କରିବା ପଛରେ ଉଦ୍ଦେଶ୍ୟ ରହିଛି । ପିଓକେ ରେ ପାକିସ୍ତାନ କରିଥିବା ଅଦଳବଦଳ ଏବଂ ଅବୈଧ କବ୍‌ଜାକୁ ଲୁଚାଇବା ପାଇଁ ଏହି ସବୁ କାର୍ଯ୍ୟକଳାପ ଜାରି ରଖିଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି, ଏଭଳି ହିନ କାର୍ଯ୍ୟ ପାକିସ୍ତାନ ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ କରୁଛି । ଏହା ସମ୍ପୂର୍ଣ୍ଣ ଭାବେ ମାନବାଧିକାରର ଉଲ୍ଲଂଘନ । ସେଠାରେ ଲୋକମାନଙ୍କୁ ନିଜ ସ୍ବତନ୍ତ୍ରତାରୁ ବଞ୍ଚିତ କରାଯାଉଛି । ଜୋର ଜବରଦସ୍ତ ବଳପୂର୍ବକ ଭାବେ ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଉଛି ଏବଂ ଶୋଷଣ କରାଯାଉଛି । କିନ୍ତୁ ପାକିସ୍ତାନ ଏହି କୁକର୍ମକୁ ଲୁଚାଇପାରିବ ନାହିଁ ।

ପିଓକେରେ ନିର୍ବାଚନ ହେବାକୁ ​‌ନେଇ ବିଦେଶ ମନ୍ତ୍ରାଳୟ କହିଛି ଯେ, ପାକିସ୍ତାନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ମଧ୍ୟ ବିରୋଧ କରୁଛନ୍ତି । ପାକିସ୍ତାନୀ ଅଧିକାରୀମାନେ ବଳପୂର୍ବକ ଲୋକମାନଙ୍କୁ ଧମକଦେଇ ଏସବୁ କରାଉଛନ୍ତି । ପିଓକେରେ ମୋଟ ସିଟ ସଂଖ୍ୟା ହେଉଛି ୫୩ । ସେଥିମଧ୍ୟରୁ ୪୫ଟି ସିଟ୍‌ରେ ସିଧାସଳଖ ଲୋକମାନଙ୍କ ଦ୍ବାରା ଜନ ପ୍ରତିନିଧି ନିର୍ବାଚିତ ହୁଅନ୍ତି । ବାକି ୮ଟି ସିଟ୍‌ ମଧ୍ୟରୁ ୫ଟିରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଅନ୍ୟ ୩ଟି ସିଟ୍‌ ବିଜ୍ଞାନ ବିଶେଷଜ୍ଞଙ୍କ ପାଇଁ ସଂରକ୍ଷିତ ରହିଥାଏ । ତେବେ ସିଧାସଳଖ ନିର୍ବାଚିତ ହେଉଥିବା ୪୫ ପ୍ରତିନିଧିଙ୍କ ମଧ୍ୟରୁ ୩୩ଟି ପିଓକେରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ହୋଇଥିବା ବେଳେ ୧୨ଟି ସିଟ୍‌ ଶରଣାର୍ଥୀଙ୍କ ପାଇଁ ରହିଛି ।

ପିଓକେର ବିଭିନ୍ନ ଜିଲ୍ଲାର ୩୩ଟି ସିଟ୍‌ରେ ମୋଟ ୫୮୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେଳେ ପାକିସ୍ତାନରେ ଥିବା ଜାମ୍ମୁ କାଶ୍ମୀର ଶରଣାର୍ଥୀଙ୍କ ୧୨ ସିଟ୍‌​‌ରେ ୧୨୧ ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଉତ୍ତୀର୍ଣ୍ଣ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.