ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା : ୫୬ଟି ସି-୨୯୫ ସାମରିକ ପରିବହନ ବିମାନ କିଣିବାକୁ ଚୁକ୍ତି

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୯: ଭାରତ ୫୬ ଟି ସି-୨୯୫ ସାମରିକ ପରିବହନ ବିମାନ କିଣିବ । ସେଥିଲାଗି ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସ୍ପେନର ଏୟାର ବସ୍‌ ଡିଫେନ୍ସ ଆଣ୍ଡ ସ୍ପେସ୍‌ ମଧ୍ୟରେ ୨୧ ହଜାର କୋଟିରୁ ଅଧିକ ଟଙ୍କାର ଚୁକ୍ତି ହୋଇଛି । ୬୦ ଦଶକରୁ ବାୟୁସେନାରେ ବ୍ୟବହୃତ ଆଭ୍ରୋ-୭୪୮ ସ୍ଥାନରେ ଏହି ନୂଆ ପରିବହନ ବିମାନ ବ୍ୟବହାର କରାଯିବ ।

ପ୍ରତି ବିମାନରେ ୫-୧୦ ଟନ ମାଲ ପରିବହନ କରିହେବ । ପ୍ରାୟ ୧୦ ବର୍ଷ ହେଲା ଏହି ପ୍ରସ୍ତାବ ପଡିରହିଥିଲା । ତେବେ ଦୁଇ ସପ୍ତାହ ତଳେ ସୁରକ୍ଷା ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଚୁକ୍ତି ସ୍ୱାକ୍ଷର ହେବାର ୨ ବର୍ଷ ଭିତରେ କମ୍ପାନି ୧୬ଟି ବିମାନ ଯୋଗାଇ ଦେବ । ତେବେ ଅନ୍ୟ ୪୦ଟି ବିମାନ ଆଗାମୀ ୧୦ ବର୍ଷ ଭିତରେ ଭାରତରେ ନିର୍ମାଣ କରାଯିବ ।

ଏଥିପାଇଁ ଏୟାର ବସ୍‌ ଡିଫେନ୍ସ ଆଣ୍ଡ ସ୍ପେସ୍‌ ପକ୍ଷରୁ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ ସହ ବୁଝାମଣା କରାଯାଇଛି । ସ୍ପେନ୍‌ କମ୍ପାନି ଏହି ବିମାନ ନିର୍ମାଣ ଲାଗି ସମସ୍ତ ବୈଷୟିକ କୌଶଳ ଯୋଗାଇଦେବ । ପ୍ରଥମଥର ପାଇଁ ଭାରତର ଏକ ଘରୋଇ କମ୍ପାନି ସାମରିକ ବିମାନ ନିର୍ମାଣ କରିବାକୁ ଯାଉଛି । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଏହି ଚୁକ୍ତିକୁ ସ୍ୱାଗତ କରିବା ସହ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.