୨୦୩୬ରେ ବୟସ୍କ-ବୟସ୍କ ଭାରତ ! ୧୬ ବର୍ଷ ପରେ ଦେଶରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୨୩ କୋଟି ଛୁଇଁବ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: ୨୦୩୬ ବେଳକୁ ଭାରତରେ ଜନସଂଖ୍ୟାର ବଡ ଭାଗ ବାର୍ଦ୍ଧକ୍ୟରେ ଉପନ୍ନିତ  ହେବେ। କାରଣ ୨୦୧୧ରେ ୧ ରୁ ୨୪ ବର୍ଷ ବୟସ ବର୍ଗର ଅନୁପାତ ୨୦୩୬ ବେଳକୁ ୫୦.୨ ପ୍ରତିଶତରୁ ହ୍ରାସ ପାଇ ୩୫.୩ ପ୍ରତିଶତକୁ ଖସି ଆସିବ। ଆୟୁଷ ବୃଦ୍ଧି ସହିତ ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା(୬୦ ବର୍ଷରୁ ଅଧିକ) ୨୦୧୧ରେ ୧୦ କୋଟି ରହିଥିଲା। ଯାହା ୨୦୩୬ ବେଳକୁ ବୃଦ୍ଧି ପାଇ ୨୩ କୋଟି ହେବ ବୋଲି ଆଶା କରାଯାଉଛି। ଯାହା ମୋଟ୍ ଜନସଂଖ୍ୟାରେ ୮.୪ ପ୍ରତିଶତରୁ ୧୪.୯ ପ୍ରତିଶତକୁ ବୃଦ୍ଧି ଘଟିବ।

ଏହି ତଥ୍ୟ ଭାରତ ଓ ରାଜ୍ୟଗୁଡିକର ଜନସଂଖ୍ୟା  ଅନୁମାନ(୨୦୧୧-୨୦୩୬)ରେ ସାମ୍ନାକୁ ଆସିଛି। ଏହା ‘ଟେକ୍ନିକାଲ ଗ୍ରୁପ ଅନ ପପୁଲେସନ ପ୍ରୋଜେକ୍ସନ’ ଦ୍ଵାରା ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଦେଶର ମୋଟ୍ ଜନସଂଖ୍ୟାରେ ୧୫ ରୁ ୨୪ ବର୍ଷ ଆୟୁ ବର୍ଗର ଅଂଶ ୨୦୧୧ରେ ୧୯.୩ ପ୍ରତିଶତ ଥିଲା। ଯାହା ୨୦୩୬ ବେଳକୁ ହ୍ରାସ ପାଇ ୧୫.୧ ପ୍ରତିଶତରେ ପହଞ୍ଚିବାର ଅନୁମାନ କରାଯାଉଛି। ସେହି ପରି ୧୫ ରୁ ୫୯ ବର୍ଷ ବୟସର ଜନସଂଖ୍ୟା ୨୦୧୧ରେ ୬୦.୭ ପ୍ରତିଶତ ରହିଥିଲା, ଯାହା ୨୦୩୬ରେ ୬୪.୯ ପ୍ରତିଶତକୁ ବୃଦ୍ଧି ଘଟିବ।

ନିକଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୨୦୧୧ରୁ ୨୦୩୬ ମଧ୍ୟରେ ଭାରତର ଜନସଂଖ୍ୟା ୧୨୧.୧ କୋଟିରୁ ୧୫୨.୨ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୫ ବର୍ଷ ମଧ୍ୟରେ ବାର୍ଷିକ ୧.୦ ପ୍ରତିଶତ ହାରରେ ଜନସଂଖ୍ୟା ୨୫.୭ ପ୍ରତିଶତ ବୃଦ୍ଧି ହେବ। ଫଳସ୍ୱରୂପ, ଜନସଂଖ୍ୟାର ଘନତ୍ଵ  ବର୍ଗ କିଲୋମିଟର ପ୍ରତି ୩୬୮ ରୁ ୪୬୩ ଜଣକୁ ବୃଦ୍ଧି ଘଟିବ।

ଦେଶରେ ଶିଶୁ ମୃତ୍ୟୁହାର ଯାହା ୨୦୧୦ରେ ୪୬ କୁହାଯାଇଥିଲା ତାହା ୨୦୩୧-୩୫ ଅବଧିର ଶେଷ ସୁଦ୍ଧା ୩୦ ପର୍ଯ୍ୟନ୍ତ ଖସିବ ବୋଲି ଆଶା କରାଯାଉଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୧ ରୁ ୨୦୩୬ ମଧ୍ୟରେ ପ୍ରଜନନ କ୍ଷମତା ହ୍ରାସ ହେତୁ ୧୫ ବର୍ଷରୁ କମ୍ ବୟସର ଜନସଂଖ୍ୟାର ଅନୁପାତ ୩୦.୯ ରୁ ୨୦.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ମଧ୍ୟମ ବୟସ-ଗୋଷ୍ଠୀ (୧୫ ରୁ ୫୯ ବର୍ଷ) ଏବଂ ବୟସ୍କ ବୟସ ( ୬୦ ବର୍ଷ ଏବଂ ତଦୁର୍ଦ୍ଧ)ର ଅନୁପାତ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହେଉଛି, ଜାତୀୟ ସ୍ତରରେ, ୫-୧୪ ବର୍ଷ ବୟସରେ ବିଦ୍ୟାଳୟ ଯାଉଥିବା ପିଲାଙ୍କ ସଂଖ୍ୟା ୨୦୧୧ରେ ୨୫.୪ କୋଟି ରହିଛି। ଯାହା ୨୦୩୬ରେ ୨୦.୯ କୋଟିକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସମସ୍ତ ବୟସର ମୋଟ ଜନସଂଖ୍ୟା ପାଇଁ ୫-୧୪ ବର୍ଷ ବର୍ଗରେ ୭.୨ ପ୍ରତିଶତ ହ୍ରାସ ପାଇ ୨୦୧୧ରେ ୨୧.୦ ପ୍ରତିଶତରୁ ୨୦୩୬ରେ ୧୩.୮ ପ୍ରତିଶତକୁ ହ୍ରାସ ପାଇବ।

୧୫-୨୪ ବର୍ଷ ବୟସର ଯୁବ ବର୍ଗ ଜନସଂଖ୍ୟା ୨୦୧୧ରେ ୨୩.୩ କୋଟିରୁ ୨୦୨୧ରେ ୨୫.୧ କୋଟିକୁ ବୃଦ୍ଧି ପାଇବ ଏବଂ ଏହା ୨୦୩୬ରେ ୨୨.୯ କୋଟିକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ମୋଟ ଜନସଂଖ୍ୟାରେ ଏହାର ଅନୁପାତ ୧୯.୩ ପ୍ରତିଶତରୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଉପରୋକ୍ତ ବିଷୟଗୁଡିକରୁ ଏହା ସ୍ପଷ୍ଟ ଯେ ଦେଶର ୫୦.୨ ପ୍ରତିଶତ ଲୋକଙ୍କ ବୟସ ୨୪ ବର୍ଷ ଏବଂ ତଦୁର୍ଦ୍ଧ୍ୱ ରହିଛି। ସେହି ପରି  ୧-୧୪ ବର୍ଷ ଏବଂ ୨୫-୨୪ ବର୍ଷ ବୟସରେ ଜନସଂଖ୍ୟା ଯଥାକ୍ରମେ ୩୦.୯ ପ୍ରତିଶତ ଏବଂ ୧୯.୩ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.