ଚନ୍ଦ୍ରଯାନ-୨: ଆଜି ରାତି ୨ଟା ୫୧ମିନିଟରେ ଆରମ୍ଭ କରିବ ଯାତ୍ରା, ଜାଣନ୍ତୁ ଏହି ଅଭିଯାନର ସବିଶେଷ ତଥ୍ୟ…

Published By : Prameya-News7 Bureau | July 14, 2019 IST

ନୂଆଦିଲ୍ଲୀ ୧୪|୭: ବିଶାଳ ଆକାର ଓ ସୁଉଚ୍ଚ ଶରୀର। ଆକାଶକୁ ଚାହିଁ ଦୂରତାର ଆକଳନ କରୁଛି ଚନ୍ଦ୍ରୟାନ ଟୁ। ଆଉ ମାତ୍ର କିଛି ସମୟର ଅପେକ୍ଷା ଏକ ଐତିହାସିକ ଯାତ୍ରାର ହେବ ଆରମ୍ଭ।  ଆଜି ରାତି ୨ଟା ୫୧ ।  ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଭାରତ ଆରମ୍ଭ କରିବ ମିଶନ ଚନ୍ଦ୍ରଯାନ-୨ । ୨୦୦୮ରେ ଚନ୍ଦ୍ରର କକ୍ଷପଥରେ ପଶିଥିଲା ଚନ୍ଦ୍ରଯାନ-୧ । ଏହାର ୧୧ବର୍ଷ ପରେ ମିଶନ ଚନ୍ଦ୍ରଯାନ-୨ । ୫୨ଦିନର ଯାତ୍ରା । ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ । ଖୋଜିବ ପୃଥିବୀ ସୃଷ୍ଟିର ରହସ୍ୟ ।  କରିବ ପାଣିର ସନ୍ଧାନ। ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବାରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ପାଲଟିଯିବ ଚତୁର୍ଥ ଦେଶ ।

{"id":133577}

୨୦୦୮ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚନ୍ଦ୍ରଯାନ-୨ ମିଶନ ନେଇ ଘୋଷଣା କରିଥିଲେ । ୧୧ବର୍ଷ ପରେ ମିଶନ ସଫଳ ହେବାକୁ ଅପେକ୍ଷା । ଚନ୍ଦ୍ରଯାନ-୨ ମିଶନ ପାଇଁ ଖର୍ଚ୍ଚ ହୋଇଛି ୯୭୮କୋଟି ଟଙ୍କା । ଚନ୍ଦ୍ର ଅଭିଯାନ ପାଇଁ ଚୀନ ୫ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଭାରତର ବଜେଟ୍ ବେଶ କମ ।

{"id":133578}

ଚନ୍ଦ୍ରଯାନ-୨କୁ ମହାକାଶକୁ ନେବ GSLV-ମାର୍କ III ରକେଟ୍ । ଏବେସୁଦ୍ଧା ଦେଶରୁ ଉତକ୍ଷେପଣ ହୋଇଥିବା ସବୁ ରକେଟ୍ ଠାରୁ ଏହା ଶକ୍ତିଶାଳୀ । GSLV-Mk III ରକେଟ୍, ମହାକାଶକୁ ୩୮୭୭କିଲୋ ପେ ଲୋଡ୍ ନେଇ ଯାଉଛି । ଯାହା ଭିତରେ ରହିଛି ୨୩୭୯କିଲୋ ଅରବିଟର୍, ୧୪୭୧କିଲୋ ଲ୍ୟାଣ୍ଡର ଏବଂ ୨୭କିଲୋ ଓଜନର ରୋଭର ।

{"id":133579}

ଉତ୍‌କ୍ଷେପଣ ପରେ ୧୬ଦିନ ଧରି ପୃଥିବୀ ଚାରିପଟେ ବୁଲିବ ଚନ୍ଦ୍ରଯାନ । ଏହି ସମୟରେ ସର୍ବାଧିକ ବେଗ ଥିବା ସେକେଣ୍ଡ ପ୍ରତି ୧୦କିମି ଏବଂ ସର୍ବନିମ୍ନ ବେଗ ଥିବ ସେକେଣ୍ଡ ପ୍ରତି ୩କିଲୋମିଟର । ୧୬ଦିନ ପରେ ଏହା ପୃଥିବୀ କକ୍ଷରୁ ବାହାରି ଚନ୍ଦ୍ର ଅଭିମୁଖେ ଯିବ । ଏହି ସମୟରେ ଚନ୍ଦ୍ରଯାନ-୨ରୁ ରକେଟ୍ ଅଲଗା ହୋଇଯିବ । ଚନ୍ଦ୍ର କକ୍ଷପଥରେ ପହଞ୍ଚିବା ପାଇଁ ୫ଦିନ ସମୟ ଲାଗିବ । ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ ୨୭ଦିନ ଘୁରିବ । ଏହି ସମୟରେ  ଚନ୍ଦ୍ରଯାନର ସର୍ବାଧିକ ବେଗ ସେକେଣ୍ଡ ପ୍ରତି ୧୦କିମି ଏବଂ ସର୍ବନିମ୍ନ ବେଗ ସେକେଣ୍ଡ ପ୍ରତି ୧କିମି ରହିବ।

{"id":133580}

ଚନ୍ଦ୍ର କକ୍ଷପଥରେ ଦୁଇ ଭାଗ ହୋଇଯିବ ଚନ୍ଦ୍ରଯାନ-୨ । ଅରବିଟର୍ ଏବଂ ଲ୍ୟାଣ୍ଡର ଭାବରେ ଦୁଇ ଭାଗ ହୋଇଯିବ ଚନ୍ଦ୍ରଯାନ । ଚନ୍ଦ୍ର ଚାରିପଟେ ଶହେ କିମି ଉପରେ ଘୁରି ପରୀକ୍ଷା ନିରୀକ୍ଷା କରିବ 'ଅରବିଟର୍' । ଏହାପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ୪ଦିନ ସମୟ ଲାଗିବ । ଶେଷରେ ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଲ୍ୟାଣ୍ଡର 'ବିକ୍ରମ' ।  ୪ଘଣ୍ଟା ପରେ ଏହା ଭିତରେ ଥିବା ରୋଭର ପ୍ରଜ୍ଞା ଧୀରା ଧୀରେ ବାହାରକୁ ବାହାରି ଆସିବ । ସେକେଣ୍ଡକୁ ୧ସେଣ୍ଟିମିଟର ବେଗରେ ଏହି ରୋଭର୍ ଚନ୍ଦ୍ର ପୃଷ୍ଠରେ ଗଡିବ । ଏହା ସୌରଶକ୍ତିରେ ଚାଳିତ ହେବ । ଚନ୍ଦ୍ରପୃଷ୍ଠର ଗଠନ ସଂପର୍କରେ ପରୀକ୍ଷା କରିବା ସହ ସୌରମଣ୍ଡଳ ସୃଷ୍ଟିର ରହସ୍ୟ ଭେଦ କରିବ ରୋଭର ପ୍ରଜ୍ଞା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.