ମାଟି କାମୁଡିଲେ ଭାରତୀୟ ବ୍ୟାଟସମ୍ୟାନ, ଶ୍ରୀଲଙ୍କା ଆଗରେ ୮୨ ରନର ଟାର୍ଗେଟ୍

Published By : Prameya-News7 Bureau | July 29, 2021 IST

କଲୋମ୍ବୋ ୨୯।୦୭: ସ୍ପିନ ଟ୍ରାକରେ ଫସିଲା ଭାରତୀୟ ଯୁବ ବାହିନୀ। ବିଫଳ ହେଲେ ବ୍ୟାଟସମ୍ୟାନ ଏବଂ ସିଂହଳି ବୋଲରଙ୍କ ମୁକାବିଲା କରିନପାରି ଜଣେ ପରେ ଜଣେ ପାଭିଲିୟନ ଫେରିଲେ। ଆଉ କରୋନା କାରଣରୁ ୯ ଜଣ ଖେଳାଳି ଖେଳି ନପାରିବାର ପରିଣାମ ଭାରତକୁ ଭୋଗିବାକୁ ପଡିଲା। ତୃତୀୟ ମୁକାବିଲାରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୮ ଓ୍ଵିକେଟ୍ ବିନିମୟରେ ମାତ୍ର ୮୧ ରନ କରିବାକୁ ସକ୍ଷମ ହୋଇଛି ଭାରତ। ଆଗ ଧାଡିର ୪ ଜଣ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି। କୁଲଦୀପ ଯାଦବ ସର୍ବାଧିକ ୨୩ ରନ ଅପରାଜିତ ଇନିଂସ ଖେଳିଛନ୍ତି। ଓ୍ଵାନିନ୍ଦୁ  ହସରଙ୍ଗା ସର୍ବାଧିକ ୪ ଓ୍ଵିକେଟ୍ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଛନ୍ତି। ସିରିଜ୍ ଜିତିବା ପାଇଁ ଶ୍ରୀଲଙ୍କା ସମ୍ମୁଖରେ  ୮୨ ରନର  ବିଜୟ ଲକ୍ଷ୍ୟ ରହିଛି।

ପ୍ରମୁଖ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଗତ ମ୍ୟାଚ୍‌ର ଚାପରୁ ମୁକୁଳି ପାରିନଥିଲେ। ଆରମ୍ଭରୁ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ଶିଖର ଧାଓ୍ଵନ ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରେ ଜଣେ ପରେ ଜଣେ ବ୍ୟାଟସମ୍ୟାନ ହାଜିରା ପକାଇ ପାଭିଲିୟନ ଫେରିଥିଲେ। ଦଳର ବ୍ୟାଟିଂ ଏତେ ଦୟନୀୟ ଥିଲା ଯେ, କେବଳ ୩ ଜଣ ଖେଳାଳିଙ୍କୁ ବାଦ୍ ଦେଲେ ପ୍ରମୁଖ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ଋତୁରାଜ ଗାଏକଓ୍ଵାର୍ଡ(୧୪), ଭୁବନେଶ୍ଵର କୁମାର(୧୬) ଓ ରନ କରିଥିଲେ। ଶିଖର ଧାଓ୍ଵନ(୦), ଦେବଦତ୍ତ ପାଡିକଲ(୯),  ସଞ୍ଜୁ ସାମସନ(୦) ଓ ନୀତୀଶ ରାଣା(୬) ବିଫଳ ହୋଇ ଦଳକୁ ନିରାଶ କରିଥିଲେ। ଏଥିସହ ମିଳିଥିବା ସୁବର୍ଣ୍ଣ ସୁଯୋଗର ମଧ୍ୟ ଫାଇଦା ଉଠାଇ ପାରିନ ନଥିଲେ ଏହି ସବୁ ବ୍ୟାଟସମ୍ୟାନ। କୁଲଦୀପ ଯାଦବଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଶ୍ରୀଲଙ୍କା ବୋଲରଙ୍କ ମୁକାବିଲା କରି ପାରିନଥିଲେ। ଶେଷରେ ଭାରତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୮୧ ରନ କରିଛି। କୁଲଦୀପ ଯାଦବ ୨୩ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଚେତନ ସକାରିଆ ୫ ରନରେ ଅପରାଜିତ ଥିଲେ।

ଶ୍ରୀଲଙ୍କା ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ନିଜର ଜନ୍ମଦିନରେ ସ୍ମରଣୀୟ ବୋଲିଂ କରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ସେ ୪ ଓଭରରେ ମାତ୍ର ୯ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। ସେ ଋତୁରାଜ ଗାଏକଓ୍ଵାର୍ଡ(୧୪), ସଞ୍ଜୁ ସାମସନ(୦), ଭୁବନେଶ୍ଵର କୁମାର(୧୬) ଓ ବରୁଣ ଚକ୍ରବର୍ତ୍ତୀ(୦)ଙ୍କୁ ପାଭିଲିୟନ ପଠାଇଥିଲେ। ଦାସୁନ ଶନାଙ୍କା ୨ଟି ସଫଳତା ପାଇଥିଲେ। ଦାସୁନ ଚମିରା ଓ ରମେଶ ମେଣ୍ଡିସଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.