ନେପାଳର ନୂତନ ନକ୍ସା ଉପରେ ଭାରତର ରୋକ୍ ଠୋକ୍, ମନମୁଖୀ ସୀମା ବୃଦ୍ଧିକୁ ସ୍ଵୀକାର କରିବୁ ନାହିଁ

Published By : Prameya-News7 Bureau | May 20, 2020 IST

ନୂଆଦିଲ୍ଲୀ ୨୦।୦୫: ନେପାଳ ସରକାର ବୁଧବାର ସଂଶୋଧିତ ରାଜନୈତିକ ଓ ପ୍ରଶାସନିକ ନକ୍ସା ଜାରି କରିଛି। ଏହି ନକ୍ସାରେ ସେ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାନିକୁ ନିଜର ଅଞ୍ଚଳ ଦର୍ଶାଇଛି। ଭାରତ ଏବେ ନେପାଳର ଦାବିକୁ ଖଣ୍ଡନ କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଶ୍ରୀବାସ୍ତବ କହିଛନ୍ତି ଯେ, ନେପାଳ ଦ୍ଵାରା ଜାରି ସଂଶୋଧିତ ନକ୍ସା ଏକ ପାଖିଆ ହୋଇଛି ଏବଂ ଏହା ଐତିହାସିକ ତଥ୍ୟ ଓ ସାକ୍ଷ୍ୟ ଉପରେ ଆଧାରିତ ନୁହେଁ।

ଏହି ଘଟଣାର ଗୋଟିଏ ଦିନ ପୂର୍ବେ ନେପାଳର ପ୍ରଧାନ କେପି ଶର୍ମା ଅଲି କହିଥିଲେ, ଏହି ଅଞ୍ଚଳ ଆମ ଦେଶର ଏବଂ ଯେମିତି ହେଲେ ଏହାକୁ ଭାରତ ହାତରୁ ଛଡାଇ ନିଆଯିବ। ନେପାଳର ଭୂପ୍ରବନ୍ଧନ ଓ ସୁଧାର ମନ୍ତ୍ରଣାଳୟ  ପକ୍ଷରୁ ମନ୍ତ୍ରୀ ପଦ୍ମା ଅରୟାଲ ନେପାଳର ଏହି ନୂତନ ନକ୍ସା ଜାରି କରିଛନ୍ତି।

ଏହା ପୂର୍ବରୁ ନେପାଳ ସରକାର ଘୋଷଣା କରିଥିଲେ ଯେ, ସେ ନୂତନ ନକ୍ସା ଜାରି କରି ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜ କ୍ଷେତ୍ରରେ ସାମିଲ କରିବେ। ଏହି ନକ୍ସାକୁ ଏବେ ସ୍କୁଲ ଓ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରାଯିବ। ପଦ୍ମା କହିଛନ୍ତି, ନୂତନ ନକ୍ସାକୁ ସଂସଦରେ ଉପସ୍ଥାପିତ କରାଯିବ ଏବଂ ଏଥିରେ ହୋଇଥିବା ସଂଶୋଧନକୁ ମଞ୍ଜୁରୀ ଦିଆଯିବ।

ନେପାଳ ନିଜର ନୂତନ ନକ୍ସାରେ ମୋଟ୍ ୩୯୫ ବର୍ଗ କିଲୋମିଟର ଅଞ୍ଚଳକୁ ସାମିଲ କରିଛି। ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା ବ୍ୟତୀତ ଗୁଞ୍ଜି, ନାଭି ଓ କୁଟି ଗାଁକୁ ମଧ୍ୟ ସାମିଲ କରିଛି। ନେପାଳ ନିଜର ନୂତନ ନକ୍ସାରେ କାଲାପାନିର ମୋଟ୍ ୬୦ ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ଦର୍ଶାଇଛି। ଏଥିରେ ଲିମ୍ପିୟାଧୁରାର ୩୩୫ ବର୍ଗ କିଲୋମିଟର ଅଞ୍ଚଳକୁ ଯୋଡି ଦେଲେ ମୋଟ୍ ୩୯୫ ବର୍ଗ କିଲୋମିଟରକୁ ନେପାଳ ନକ୍ସାରେ ସ୍ଥାନିତ କରାଯାଇଛି। ଏହି ପରି ଭାବେ ନେପାଳ ଭାରତର ୩୯୫ ବର୍ଗ କିଲୋମିଟର ଅଞ୍ଚଳ ଉପରେ ନିଜର ଦାବି ଦୋହରାଇଛି। ଏହା ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲିଙ୍କ ନେତୃତ୍ଵାଧୀନ କ୍ୟାବିନେଟ୍ର  ବୈଠକ ସମୟରେ ଏହି ମ୍ୟାପ୍‌କୁ ମଞ୍ଜୁରୀ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.