ଭାରତରେ ପ୍ରଥମ ଥର ଦେଖିବାକୁ ମିଳିଲା ସୁନେଲି ବାଘ : ଦେଖି ଆଶ୍ଚର୍ଯ୍ୟ ହେଲେ ସମସ୍ତେ
13/07/2020 at 10:01 AM

ଗୁଆହାଟୀ ୧୩/୭: ଆସାମର କାଜିରଙ୍ଗା ନ୍ୟାସନାଲ୍ ପାର୍କରେ ଭାରତର ପ୍ରଥମ ଏବଂ ଏକମାତ୍ର ସୁନେଲି ବାଘ ଦେଖିବାକୁ ମିଳିଛି। ଏହି ବାଘର ଫଟୋ ଜଣେ ଫଟୋଗ୍ରାଫର ଓ୍ବାଇଲ୍ଡ ଫଟୋଗ୍ରାଫି ସମୟରେ ନେଇଛନ୍ତି। ଏହାକୁ ଲୋକେ ଟ୍ୟାବି ଟାଇଗର ଏବଂ ଷ୍ଟ୍ରବେରି ଟାଇଗର ନାଁରେ ମଧ୍ୟ ଡାକୁଛନ୍ତି। କିନ୍ତୁ ଏହାର ସୁନେଲି ରଙ୍ଗ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଏହି ସୁନେଲି ବାଘର ଶରୀରରେ ଲାଲ ଏବଂ ମାଟିଆ ରଙ୍ଗର ପଟି ରହିଥିବାବେଳେ ପୂରା ଶରୀରର ରଙ୍ଗ ସୁନେଲି ଅର୍ଥାତ୍ ସୁନା ରଙ୍ଗର ରହିଛି। ଏହି ରଙ୍ଗ ଯୋଗୁଁ ବାଘଟି ମହାବଳ ବାଘଠୁ ପୂରା ଅଲଗା ଦେଖାଯାଉଛି। ମହାବଳ ବାଘର ଶରୀରରେ କଳା ରଙ୍ଗର ପଟି ରହିଛି।

ଆଇଏଫଏସ୍ ଅଫିସର ପରବିନ୍ କାସଓ୍ବା ନିଜ ଟ୍ବିଟର ହ୍ୟାଣ୍ଡଲରେ ଏକ ସୁନ୍ଦର ଏବଂ ଦୁର୍ଲଭ ବାଘର ଫଟୋ ସେୟାର କରିଛନ୍ତି। ସେ ଫଟୋଗ୍ରାଫର ମୟୁରେଶ ହେନ୍ଦେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି,କାରଣ ମୟୁରେଶ ହିଁ ଏହି ବାଘର ଫଟୋକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ।
ପରବିନ୍ ଲେଖିଛନ୍ତି ଯେ ବୋଧହୁଏ ଜିନସରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଏହାର ରଙ୍ଗ ଏପରି ହୋଇଛି କିନ୍ତୁ ଏହା ଚମତ୍କାର ଏବଂ ଦୁର୍ଲଭ ମଧ୍ୟ। ସାଧାରଣତଃ ଏହା ଦେଖିବାକୁ ମିଳିନଥାଏ।

ପରବିନ୍ ନିଜ ଟ୍ବିଟରେ ଏହା ମଧ୍ୟ ଲେଖିଛନ୍ତି ଯେ ସାଧାରଣତଃ ଏହି ବାଘ ବିଶ୍ବର କୌଣସି ନା କୌଣସି ଚିଡ଼ିଆଘରେ ଦେଖିବାକୁ ମିଳିପାରେ। କିନ୍ତୁ ଏପରି ଜଙ୍ଗଲରେ ଖୋଲାଖୋଲି ବୁଲୁଥିବା ଅବସ୍ଥାରେ ଦେଖିବା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଦୃଶ୍ୟ।
