ଜାତିସଂଘରେ ଇମ୍ରାନଙ୍କ ବକ୍ତବ୍ୟର ଜବାବ ରଖିଲା ଭାରତ : 'ଇମ୍ରାନଙ୍କ ମନ୍ତବ୍ୟ ଘୃଣିତ ଏବଂ ମିଛ'

Published By : Prameya-News7 Bureau | September 28, 2019 IST

ନୂଆଦିଲ୍ଲୀ ୨୮।୯: ଜାତିସଂଘରେ ଇମ୍ରାନଙ୍କ ବକ୍ତବ୍ୟର ଜବାବ ରଖିଛି ଭାରତ । ବିଦେଶ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମୈତ୍ରା କହିଛନ୍ତି ଯେ, ଜାତିସଂଘ ସାଧାରଣ ପରିଷଦରେ ଇମ୍ରାନଙ୍କ ମନ୍ତବ୍ୟ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ । ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କ ମୁହଁରେ ଶୋଭା ପାଏନି । ଏହା ଘୃଣିତ ଏବଂ ମିଛ ।

ଜାତି ସଂଘର ମଞ୍ଚକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅପବ୍ୟବହାର କରିଛନ୍ତି । ଆତଙ୍କାବାଦକୁ ନେଇ ସେ ଯାହା କହିଛନ୍ତି ତାହା ଡାହା ମିଛ । ପାକିସ୍ତାନ ଆତଙ୍କାବାଦକୁ ପ୍ରୋତ୍ସାହନ ଦେଉଛି । ଜାତିସଂଘରେ ୫୫ ପାକ୍ ଆତଙ୍କାବଦୀଙ୍କ ତାଲିକା ଅଛି । ପାକିସ୍ତାନ ସରକାର ଓ ସେନା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ପାକିସ୍ତାନରେ ଆତଙ୍କାବାଦୀ ସଂଗଠନ ନାହିଁ, ଇମ୍ରାନ ଏହାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ବିଦେଶ ସଚିବ ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଜାତିସଂଘରେ ନିଜର ବକ୍ତବ୍ୟ ରଖିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଇମ୍ରାନ ଏହି ମଞ୍ଚକୁ ନିଜର ବ୍ୟକ୍ତିଗତ ଆକ୍ଷେପକୁ ବ୍ୟବହାର କରିବା ସ୍ତରକୁ ଓହ୍ଲାଇ ଆସିଥିଲେ। ପ୍ରଥମେତ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କହିଥିଲେ କାଶ୍ମୀରରୁ କର୍ଫ୍ୟୁ ହଟିବା ମାତ୍ରେ ହିଁ ରକ୍ତପାତ ଏବଂ ହିଂସାକାଣ୍ଡ ହେବ । ପୁଣି ଜାତିସଂଘ ମଞ୍ଚରେ ବି ସେ ପରମାଣୁ ଧମକ ଦେବାକୁ ପଛାଇନଥିଲେ ।

ପରମାଣୁ ବୋମା ଆକ୍ରମଣର ଧମକ ଦେଇ ଇମ୍ରାନ କହିଥିଲେ ଯେ ଯଦି ଦୁଇ ପଡ଼ୋଶୀ ଦେଶ ଭିତରେ ପରମାଣୁ ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ସାରା ବିଶ୍ବ ଉପରେ ପଡିବ । ଏପିରିକି ଇମ୍ରାନ ଆରଏସଏସକୁ ମୁସଲମାନ ବିରୋଧୀ କହି ମୋଦିଙ୍କୁ ଏହାର ସଦସ୍ୟ ଭାବେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ପଛାଇନାହାନ୍ତି । ଯେତେବେଳେ କି ଆତଙ୍କବାଦୀଙ୍କୁ ଅନ୍ୟାୟ ବିରୋଧରେ ସଂଗ୍ରାମୀ ବୋଲି ଦର୍ଶାଇଥିଲେ ।  ମୁସଲିମ ମାନେ ଅନ୍ୟାୟ ବିରୋଧରେ ଅସ୍ତ୍ର ଉଠାଇଛନ୍ତି ବୋଲି ସେ କହିଛନ୍ତି ।

ଦୁଇଦିନ ତଳେ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥିବା ମାନିଥିଲେ ଇମ୍ରାନ ଆଉ ୟୁଏନ୍ ରେ କହିଥିଲେ  ୯/୧୧ ଆକ୍ରମଣରେ ପାକିସ୍ତାନ ସାମିଲ ନଥିଲା । ଏମିତିକି ଇମ୍ରାନ ଜାତିସଂଘକୁ ଧମକ ଦେବାକୁ ପଛାଇନଥିଲେ ।  କେଉଁ ଉଦ୍ଦେଶ୍ୟରେ ଜାତିସଂଘ ଗଠନ କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.