ସୁଖୋଇରେ ଲାଗିବ ବ୍ରହ୍ମୋସ କ୍ଷପଣାସ୍ତ୍ର, ବିମାନ ଗଠନ ଶୈଳୀ ସଂଶୋଧନ କରୁଛି ଏଚଏଏଲ୍
9/06/2019 at 8:02 PM

ନୂଆଦିଲ୍ଲୀ : ଭାରତର ବାଲକୋଟ ବିମାନ ଆକ୍ରମଣ ପରେ ଭାରତୀୟ ବାୟୁସେନାକୁ ଅଧିକ ମଜଭୁତ କରିବା ଏବେ ଜରୁରି ହୋଇପଡିଛି। ଏଣୁ ଆଇଏଏଫର ଋଷିଆ ନିର୍ମିତ ସୁଖୋଇ ଫାଇଟର ଜେଟରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଜାଇଲ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେହି ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ଟି ସୁଖୋଇ ବିମାନକୁ ବ୍ରହ୍ମୋସ ଶକ୍ତି ସମ୍ପନ୍ନ କରାଯାଉଥିବା ଜଣାପଡିଛି। ଏଥିପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସୁଖୋଇର ବୈଷୟିକ ସଂଶୋଧନ କରୁଛନ୍ତି।

ବିମାନବାହିନୀକୁ ଅଧିକ ଶକ୍ତିଶାଳୀ କରିବାକୁ ବ୍ରହ୍ମୋସ ଏରୋସ୍ପେସ୍ ଓ ଏଚ୍ଏଏଲକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ୨୦୨୦ ମସିହା ସୁଦ୍ଧା ବାୟୁସେନାର ୪୦ରୁ ଊର୍ଦ୍ଧ୍ବ ଯୁଦ୍ଧବିମାନ ବିଶ୍ବର ଶକ୍ତିଶାଳୀ ଯୁଦ୍ଧବିମାନ ଶ୍ରେଣୀର ହୋଇ ପାରିବେ। ଏଥିପାଇଁ ୨୦୧୬ ମସିହାରୁ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ୨୦୧୭ରୁ ଏଥି ପାଇଁ କାର୍ଯ୍ୟାରମ୍ଭ ହୋଇଥିବା ବେଳେ ବାଲକୋଟ ଆକ୍ରମଣ ପରେ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ଏବେ ଜରୁରି ହୋଇପଡିଛି।

ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ବାୟୁସେନାର ମାରକ୍ କ୍ଷମତା ଅନେକଗୁଣା ବଢିଯିବ। ଜଳ, ସ୍ଥଳ ଓ ଆକାଶ ଯେ କୌଣସି ସ୍ଥାନରୁ ଭାରତୀୟ ବାୟୁସେନା ବିମାନ ଲକ୍ଷଭେଦ କରିପାରିବେ। ବାୟୁସେନା ଏବେ ଯେକୌଣସି ମୁକାବିଲା ପାଇଁ ପ୍ରସ୍ତୁତ। ତେବେ ବ୍ରହ୍ମୋସ ମୁତୟନ ପରେ ବିଶ୍ବର ଅନ୍ୟ ଶକ୍ତିଶାଳୀ ବିମାନବାହିନୀର ସମକକ୍ଷ ହୋଇ ପାରିବ।