ଟ୍ରମ୍ପଙ୍କ ମଧ୍ୟସ୍ଥତା ଅଫରକୁ ଭାରତର ନା: ଚୀନ ସହ ଚାଲିଛି ସିଧାସଳଖ ଆଲୋଚନା, ତୃତୀୟ ପକ୍ଷର ଆବଶ୍ୟକତା ନାହିଁ
28/05/2020 at 8:00 PM

ନୂଆଦିଲ୍ଲୀ ୨୮।୦୫: ଚୀନ ସହ ସୀମା ବିବାଦ ମାମଲାରେ ଭାରତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଆସିଥିବା ମଧ୍ୟସ୍ଥତା ପ୍ରସ୍ତାବକୁ ମନା କରି ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ଚୀନ ସହିତ ଜାରି ସୀମା ବିବାଦ ଉପରେ ଟ୍ରମ୍ପଙ୍କ ଅଫର ନେଇ କହିଛି ଯେ, ଚୀନ ସହ ଆମର ଆଲୋଚନା ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଆମେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚୀନ ସହ ଯୋଗାଯୋଗରେ ଅଛୁ। ଶ୍ରୀବାସ୍ତବ ଅନଲାଇନ୍ କନଫରେନ୍ସ ମାଧ୍ୟମରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
ଆମେରିକା ରାଷ୍ଟ୍ରପତି ବୁଧବାର କହିଥିଲେ ଯେ, ସେ ଭାରତ ଓ ଚୀନ ମଧ୍ୟରେ ଜାରି ସୀମା ବିବାଦ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ। ଏହା କରିବାକୁ ଆମେ ସକ୍ଷମ। ସେ ଟୁଇଟ୍ କରିଥିଲେ ଯେ, ଆମେ ଭାରତ ଓ ଚୀନକୁ ସୂଚିତ କରାଉଛୁ ଯେ, ଆମେରିକା ଦୁଇ ଦେଶ ମଧ୍ୟରେ ବଢୁଥିବା ସୀମା ବିବାଦରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ, ଇଚ୍ଛୁକ ଓ ସକ୍ଷମ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତୀୟ ସୈନିକ ସୀମାରେ ନିଜର ଦାୟିତ୍ଵକୁ ସମ୍ମାନର ସହ ନିର୍ବାହ କରୁଛନ୍ତି। ଭାରତୀୟ ସୈନିକ ଏହି ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ଚୀନ ସହିତ ହୋଇଥିବା ଦ୍ଵିପାକ୍ଷିକ ରାଜିନାମା ଆଧାରରେ ନିର୍ଦ୍ଧାରିତ ପ୍ରକ୍ରିୟାକୁ କଠୋରତାର ସହ ପାଳନ କରୁଛି। ବିବାଦର ସମାଧାନ ଲାଗି ଚୀନ ସହ ସିଧାସଳଖ ଆଲୋଚନା କରାଯାଉଛି। ଏଥିରେ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲଦାଖରେ ମେ ୫ରେ ପ୍ରାୟ ୨୫୦ ଚୀନୀ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରଠୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାରେ ଉଭୟ ପକ୍ଷର ପ୍ରାୟ ୧୦୦ ସୈନିକ ଆହତ ହୋଇଥିଲେ। ଏହା ପରେ ଚୀନ ଲଦାଖର ପେଙ୍ଗୟଙ୍ଗ ହ୍ରଦ ଓ ଗଲଓ୍ଵାନ ଘାଟିରେ ସୈନ୍ୟ ଓ ସାମରିକ ଉପକରଣ ଠୁଳ କରିଥିଲା। ଏହା ସହିତ ଏହି ଅଞ୍ଚଳରେ ୧୦୦ରୁ ଅଧିକ ତମ୍ବୁ କାଢି ସାରିଛି। ଲଦାଖଠୁ ୨୦୦ କିମି ଦୂର ତିବ୍ବତର ଏକ ଅଞ୍ଚଳରେ ୪ଟି ଲଢୁଆ ଏୟାରକ୍ରାଫ୍ଟକୁ ମୁତୟନ କରିଛି।
ଭାରତ ମଧ୍ୟ ଏଥିରେ ପଛଘୁଞ୍ଚା ନଦେଇ ଚୀନକୁ ଜବାବ ସ୍ଵରୂପ ଲଦାଖରେ ସୈନ୍ୟ ସଂଖ୍ୟା ବଢାଇ ଦେଇଛି। ଭାରତ ଏଲଏସି ସୀମାରେ ଚାଲିଥିବା ଭିତ୍ତିଭୂମି କାମ ସମାନ୍ତରାଳ ଭାବେ ଚାଲିବ ବୋଲି ନିଷ୍ପତ୍ତି ନେଇଛି। ଚୀନ ଏଲଏସିରେ ଯେଉଁଭଳି ପଦକ୍ଷେପ ନେବ ଭାରତ ତାର ଜବାବ ଦେବ ବୋଲି ସ୍ଥିର ହୋଇଛି।