କରୋନା ମୃତ୍ୟୁ ମାମଲାରେ ସବୁ ରେକର୍ଡ ଭାଙ୍ଗିଲା ଭାରତ: ଆମେରିକା ବ୍ରାଜିଲକୁ ପକାଇଲା ପଛରେ, ଗତ ୧୦ ଦିନରେ ସର୍ବାଧିକ

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୦୭/୦୫ : ଦେଶରେ ଘାତକ କରୋନା ମହାମାରୀ ସ୍ଥିତି ସଙ୍ଗୀନ ହୋଇଗଲାଣି। ଦେଶରେ ଲଗାତାର ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କରୋନାରୁ ହେଉଥିବା ମୃତ୍ୟୁ ମଧ୍ୟ ସବୁ ଦେଶର ରେକର୍ଡ ଭାଙ୍ଗି ଦେଇଛି। ଏବେ ସୁଦ୍ଧା ଆମେରିକା ଓ ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା। କିନ୍ତୁ ଗତ ୧୦ ଦିନରେ ଭାରତରେ କରୋନା ଜନିତ ମୃତ୍ୟୁ ସବୁଠାରୁ ଅଧିକ ହୋଇଛି। ଗତ ୧୦ ଦିନରେ ଦେଶରେ କୋଭିଡରେ ୩୬ ହଜାର ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଦିନ ଦେଶରେ ୪ ଲକ୍ଷ ୧୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୨୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଗତ ୧୦ ଦିନ ହେଲା ଦେଶରେ ପାଖାପାଖି ୩ ହଜାର ସଂକ୍ରମିତଙ୍କ ମୃତ୍ୟୁ ହେଉଛି। ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ ଜଣଙ୍କର ମୃତ୍ୟୁ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହା ପୂର୍ବରୁ ୧୦ ଦିନରେ ସବୁଠାରୁ ଅଧିକ ମୃତ୍ୟୁ ଆମେରିକାରେ ହୋଇଥିଲା। ୧୦ ଦିନ ଅବଧିରେ ଆମେରିକାରେ ୩୪ ହଜାର ୭୯୮ ମୃତ୍ୟୁ ରେକର୍ଡ କରାଯାଇଥିଲା। ମୃତ୍ୟୁ ମାମଲାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିଲା। ବ୍ରାଜିଲରେ ୧୦ ଦିନରେ ୩୨ ହଜାର ୬୯୨ ମୃତ୍ୟୁ ରେକର୍ଡ ହୋଇଥିଲା। ୧୦ ଦିନ ଅବଧିରେ ମେକ୍ସିକୋରେ ୧୩ ହଜାର ୮୯୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗୁରୁବାର ଲଗାତାର ଦ୍ୱିତୀୟ ଦିନ ସଂକ୍ରମଣ ମାମଲା ୪ ଲକ୍ଷ ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୧୪ ହଜାର ୫୫୪ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୧୩ ରାଜ୍ୟରେ ୧୦୦ ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ୬ କେନ୍ଦ୍ର ଶାସିତ ପ୍ରଦେଶରେ ମୃତ୍ୟୁହାର ରେକର୍ଡ ସ୍ଥରରେ ପହଞ୍ଚିଛି। ଜନସଂଖ୍ୟା ହିସାବରେ ୧୩ ଛୋଟ ରାଜ୍ୟମାନଙ୍କ ମଧ୍ୟରୁ ଉତ୍ତରାଖଣ୍ଡରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି। ଗୁରୁବାର ଦିନ ଉତ୍ତରାଖଣ୍ଡରେ ୧୫୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ମାମଲାରେ ଉତ୍ତରାଖଣ୍ଡ ଦଶମ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.