ଚୀନ ସୀମାରେ କିଛି ବଡ ହେବାକୁ ଯାଉଛି ? ଇଗଲା କ୍ଷେପଣାସ୍ତ୍ର ସହ ଲଦାଖ ସୀମାରେ ମୁତୟନ ହେଲେ ଭାରତୀୟ ଯବାନ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୦୮: ଚୀନର କୌଣସି ପ୍ରକାରର ଦୁଃସାହାସ ଏବଂ ଚାଲାକିର ଜବାବ ଦେବା ପାଇଁ ଭାରତୀୟ ସେନା ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ନିଜର ଯବାନଙ୍କୁ ଇଗଲା କ୍ଷେପଣାସ୍ତ୍ର ସହ ମୁତୟନ କରିଛି। ଏହି କ୍ଷେପଣାସ୍ତ୍ର ଏମିତି ସମୟରେ କାମରେ ଆସିଥାଏ ଯେତେବେଳ ପ୍ରତିପକ୍ଷ କୌଣସି ପ୍ରକାରେ ଆମର ବାୟୁସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରେ ଏହି କ୍ଷେପଣାସ୍ତ୍ର ତାକୁ  ମାରି ଖସାଇ ଦେଇଥାଏ।

ଇଗଲା କ୍ଷେପଣାସ୍ତ୍ର ଜରିଆରେ କୌଣସି ଯବାନ ନିଜ କାନ୍ଧରେ ରଖି ନିକ୍ଷେପ କରିପାରିବେ। ଏହା ହେଲିକପ୍ଟର ଓ ଲଢୁଆ ହେଲିକପ୍ଟରକୁ ମାରି ତଳକୁ ଖସାଇବାରେ ସକ୍ଷମ। ସରକାରୀ ସୂତ୍ର ଅନୁଯାୟୀ ଭାରତୀୟ ଯବାନ ଏବେ ଏହି କ୍ଷେପଣାସ୍ତ୍ର ଜରିଆରେ ଭାରତୀୟ ବାୟୁସେନା ପ୍ରବେଶ କରିବାକୁ ଉଦ୍ୟତ ଶତ୍ରୁ ପକ୍ଷର ହେଲିକପ୍ଟରକୁ ରୋକିବ।

ଯଦି ଶତ୍ରୁର କୌଣସି ବି ବିମାନ କିମ୍ବା ଡ୍ରୋନ  ଭାରତୀୟ ସୀମାରେ ପ୍ରବେଶ କରେ ତେବେ ସେମାନଙ୍କୁ ଇଗଲା କ୍ଷେପଣାସ୍ତ୍ର ଉଚିତ୍ ଜବାବ ଦେବ। ଏହାର ବ୍ୟବହାର ବାୟୁସେନା ଓ ସ୍ଥଳସେନା ଉଭୟ କରିଥାନ୍ତି। ଏହାର ଉପଯୋଗ  Man Portable Air Defence Systems (MANPADS) ଭାବେ କରାଯାଏ।

ଏଥିରୁ ସ୍ପଷ୍ଟ ଯେ ଲଦାଖ ଅଞ୍ଚଳରେ ଚୀନର କୌଣସି ବି ପ୍ରକାର ଚାଲର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ। ଗତ ଦିନରେ ସିଡିଏସ ବିପିନ ରାଓ୍ଵତଙ୍କ ପକ୍ଷରୁ ଏହି କ୍ଷେପଣାସ୍ତ୍ରର ମୁତୟନ ନେଇ ସୂଚନା ଦିଆଯାଇଥିଲା।

ରାଓ୍ଵତ କହିଥିଲେ ଯଦି ଏଲଏସିରେ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ନବାହାରେ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ବିଚାର କରାଯାଇପାରେ। ଗଲଓ୍ଵାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ଅନେକ ପର୍ଯ୍ୟାୟରେ ସାମରିକ ଓ କୂଟନୈତିକସ୍ତରରେ ଆଲୋଚନା ହୋଇ ସାରିଛି। ହେଲେ ଅଦ୍ୟାବଧି କୌଣସି ସମାଧାନର ମାର୍ଗ ବାହାରି ପାରି ନାହିଁ।

ଭାରତ ଓ ଚୀନ ମଧ୍ୟରେ ମେ ମାସରୁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି। ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ରୁ ଅଧିକ ଯବାନ ନିହତ ହୋଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.