ଗାବା ବିଜୟ ପରେ ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ରେ ଶୀର୍ଷରେ ପହଞ୍ଚିଲା ଭାରତ, ତୃତୀୟକୁ ଖସିଲା କଙ୍ଗାରୁ ଦଳ

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯।୦୧: ଘରୋଇ ଅଷ୍ଟ୍ରେଲିଆ ଦଳକୁ ବ୍ରିସବେନର ଗାବା ଟେଷ୍ଟରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ଭାରତୀୟ ଦଳ ୨-୧ରେ ଜିତି ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଏଥି ସହ ଭାରତ ମଙ୍ଗଳବାର ଆଇସିସି ଓ୍ଵାର୍ଲ୍ଡ ଚମ୍ପିଆନସିପ୍‌ରେ ଏକ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି। ପରାଜୟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସି ଆସିଛି।

ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ରେ ଭାରତ ୪୩୦ ପଏଣ୍ଟ ସହ ଶୀର୍ଷରେ ପହଞ୍ଚିଛି। ଏହି ଚମ୍ପିଆନସିପ୍‌ରେ ଭାରତ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ ଖେଳି ୯ଟିରେ ଜିତିଥିବା ବେଳେ ୩ଟିରେ ପରାଜିତ ହୋଇଛି। ଗୋଟିଏ ମ୍ୟାଚ୍ ଡ୍ର ରହିଛି। ୪୨୦ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଚମ୍ପିଆନସିପ୍‌ର ପଏଣ୍ଟ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। କଙ୍ଗାରୁ ଦଳ ୧୪ଟି ମ୍ୟାଚ୍‌ ଖେଳି ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି ଏବଂ ୨ଟି ଡ୍ର ରହିଛି। ଶୀର୍ଷ ପାଞ୍ଚର ଚତୁର୍ଥ ସ୍ଥାନରେ ଇଂଲଣ୍ଡ ଓ ପଞ୍ଚମରେ ଦକ୍ଷିଣ ଆଫ୍ରିକା ରହିଛି।

ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵରେ ଭାରତୀୟ ଦଳ ଗାବା ଟେଷ୍ଟକୁ ୩ଟି ଓ୍ଵିକେଟ୍‌ରେ ଜିତି ଇତିହାସ ରଚିଛି। ଭାରତ ଗାବାରେ ଅଷ୍ଟ୍ରେଲିଆର ୩୨ ବର୍ଷର ଅପରାଜୟ ଧାରାକୁ ଭାଙ୍ଗିଛି। ଅଷ୍ଟ୍ରେଲିଆ ଗାବାରେ ଶେଷ ଥର ୧୯୮୮ରେ ଓ୍ଵେଷ୍ଟଇଣ୍ଡିକ ନିକଟରୁ ପରାଜିତ ହୋଇଥିଲା। ଏହା ପରଠୁ ଦଳ ଏହି ଗ୍ରାଉଣ୍ଡରେ ମ୍ୟାଚ୍‌ ହାରି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.