କାୟା ବିସ୍ତାର କରୁଛି କରୋନା, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି, ଇରାନରୁ ଭାରତୀୟଙ୍କ ଉଦ୍ଧାର ପାଇଁ ଉଡାଣ ଭରିଲା IAFର C-17 ଗ୍ଲୋବମାଷ୍ଚର
10/03/2020 at 7:31 AM

ନୂଆଦିଲ୍ଲୀ ୧୦।୦୩: କାୟା ବିସ୍ତାର କରିବାରେ ଲାଗିଛି କରୋନା । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି । ଆମେରିକାରୁ ଫେରିଥିବା ବେଙ୍ଗାଳୁରୁର ଜଣେ ଛାତ୍ରଙ୍କ ଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଛି । ସେହିପରି ଦିଲ୍ଲୀ, ୟୁପି, ଜମ୍ମୁ, ପଞ୍ଜାବ ଓ ପୁନେରେ ଦୁଇ ଜଣ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ଜଣେ ୬୩ ବର୍ଷିୟା ମହିଳାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ବେଳେ କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।

କେରଳରେ ଏହି ତିନି ବର୍ଷର ଛୋଟ ଛୁଆଟି ପରିବାର ସହ ଇଟାଲୀ ଯାଇଥିଲା । ସେପଟେ ଦିନକୁ ଦିନ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ରାପିଡ୍ ଆକ୍ସନ ଟିମ୍ ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି। ଇରାନରେ ଥିବା ଭାରତୀୟକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଉଡାଣ ଭରିଛି IAFର C-17 ଗ୍ଲୋବମାଷ୍ଚର । ଦେଶର ୩୦ଟି ଏୟାରପୋର୍ଟରେ ୮ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ ହଜାର ଲୋକ ନିରୀକ୍ଷଣରେ ରହିଛନ୍ତି। ୧୪ଟି ଦେଶର ପର୍ଯ୍ୟଟକ ଭାରତ ଆସିବା ନେଇ କଟକଣା ଜାରି କରାଯାଇଛି ।