ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୨୦ ଜଣ ଖେଳାଳିଙ୍କୁ ଓହ୍ଲାଇଛି ଭାରତ, ୧୪୩ ବର୍ଷର ଇତିହାସରେ ପ୍ରଥମ
16/01/2021 at 8:55 AM

ବ୍ରିସବେନ୍,୧୬/୦୧: ଭାରତୀୟ ଟେଷ୍ଟ୍ ଦଳରେ ଟି ନଟରାଜନ ଓ ଓ୍ୱାଶିଂଟନ ସୁନ୍ଦରଙ୍କ ନାମ ଯୋଡି ହୋଇଛି । ନଟରାଡନ ଓ ସୁନ୍ଦର ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପଦାର୍ପଣ କରିଛନ୍ତି । ଭାରତୀୟ ଦଳ ୪ ମ୍ୟାଚର ଏହି ସିରିଜରେ ୨୦ଜଣ କ୍ରିକେଟରଙ୍କୁ ପଡିଆକୁ ଓହ୍ଲାଇଛି । ଏହା ୧୪୩ ବର୍ଷର ଟେଷ୍ଟ୍ କ୍ରିକେଟରେ କେବେ ହୋଇନଥିଲା । ଯାହା ଏକ ବିଶ୍ୱ ରେକର୍ଡ ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ବ୍ରିସବେନରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ଦ୍ରୁତ ବୋଲର ଟି ନଟରାଜନ ଓ ଅଫ୍ ସ୍ପିନର ଓ୍ୱାଶିଂଟନ ସୁନ୍ଦର ପଦାର୍ପଣ କରିଛନ୍ତି। ଏହି ଦୁଇଜଣଙ୍କୁ ଖେଳାଇବା ଭାରତର କୌଣସି ଯୋଜନା ନୁହେଁ ବରଂ ବାଧ୍ୟବାଧକତା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତର ଏତେମାତ୍ରାରେ ଖେଳାଳି ଆହତ ହୋଇଛନ୍ତି ଯେ, ପ୍ରାୟତଃ ସବୁ ଖେଳାଳିଙ୍କୁ କୌଣସି ନା କୌଣସି ମ୍ୟାଚରେ ଖେଳିବାକୁ ପଡିଛି ।
ନଟରାଜନ ଓ ସୁନ୍ଦରଙ୍କୁ ମିଶାଇ ଭାରତ ବର୍ତ୍ତମାନର ଟେଷ୍ଟ ସିରିଜରେ ୨୦ଜଣ ଖେଳାଳିଙ୍କୁ ଓହ୍ଲାଇ ସାରିଛି । ଏହା ୧୪୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ କୌଣସି ଭ୍ରମଣକାରୀ ଟିମ୍ ଏତେ ମାତ୍ରାରେ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛି । ଏହାପୂର୍ବରୁ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩-୧୪ରେ ୧୮ ଜଣ ଖେଳାଳିଙ୍କୁ ଓହ୍ଲାଇଥିଲେ ।
ସୂଚନାଯୋଗ୍ୟ, ଭାରତ ୧୯୩୨ରେ ପ୍ରଥମ ଟେଷ୍ଟ ଖେଳିଥିଲା । ଏବେସୁଦ୍ଧା ୩୦୧ ଜଣ କ୍ରିକେଟର ଟେଷ୍ଟ ମ୍ୟାଚ୍ ଖେଳି ସାରିଛନ୍ତି ।