ଭାରତକୁ ଇମ୍ରାନ ଖାନଙ୍କ ଧମକ : "ଆକ୍ରମଣ କଲେ ଦେବୁ କଡା ଜବାବ"

Published By : Prameya-News7 Bureau | February 19, 2019 IST

କାଶ୍ମୀର ୧୯/୨ : ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ, ଭାରତ ବିନା ପ୍ରମାଣରେ ପାକିସ୍ତାନକୁ ଦୋଷାରୋପ କରୁଛି | ଏହି ଅଭିଯୋଗ ପାଇଁ ସେ ଭାରତ ସରକାରଙ୍କୁ ଜବାବ ଦେଇଛନ୍ତି | ହମଲାରେ ପାକିସ୍ତାନର କୌଣସି ହାତ ନାହିଁ | ହମଲାକୁ ନେଇ ପାକିସ୍ତାନ ଭାରତ ସହ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଇମ୍ରାନ | ସେ କହିଛନ୍ତି ଏହା ନୂଆ ପାକିସ୍ତାନ | ଏହି ନୂଆ ପାକିସ୍ତାନରେ ଆତଙ୍କବାଦ ପାଇଁ କୌଣସି ଜାଗା ନାହିଁ | ପାକିସ୍ତାନ ସମସ୍ତ ପ୍ରକାର ଯାଞ୍ଚ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଇମ୍ରାନ |
ଇମ୍ରାନ ଭାରତକୁ କଡା ଜବାବ ଦେଇ କହିଛନ୍ତି ଯେ, ଯେକୌଣସି ଯୁଦ୍ଧ ଆରମ୍ଭ କରିବା ବହୁତ ସହଜ କିନ୍ତୁ ତାକୁ ଶେଷ କରିବା ବହୁତ କଷ୍ଟ ହୋଇଥାଏ |

{"id":86731}


ସେ କହିଛନ୍ତି ଯେ, ସାଉଦି ଆରବର ପ୍ରିନ୍ସ ଗତକାଲି ପାକିସ୍ତାନ ଗସ୍ତରେ ଆସିଥିଲେ | ସେଥିପାଇଁ ସେ ଚୁପ ଥିଲେ | ପ୍ରିନ୍ସ ଗସ୍ତ ସମୟରେ ନିଜର ସ୍ଥିତି ଖରାପ କରିବାକୁ ପାକିସ୍ତାନ ଚାହୁଁନଥିଲା ବୋଲି ଚୁପ ରହିଥିଲା | କିନ୍ତୁ ପାକିସ୍ତାନ ସବୁବେଳେ ଚୁପ ରହିବନି | ସେ କହିଛନ୍ତି ଯେ, ଗତ ୧୫ ବର୍ଷା ହେଲା ପାକିସ୍ତାନ ନିଜେ ଆତଙ୍କବାଦ ବିରୋଧରେ ଲଢ଼ୁଛି | ଆତଙ୍କବାଦ ଯୋଗୁଁ ସବୁଠାରୁ ଅଧିକ କ୍ଷତି ପାକିସ୍ତାନର ହୋଇଛି | ଆତଙ୍କବାଦ ହମଲା ଯୋଗୁଁ ପାକିସ୍ତାନର ୭୦୦୦ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଇମ୍ରାନ | ପୁଲୱାମା ହମଲାରେ ଯଦି କୌଣସି ପାକିସ୍ତାନୀ ଦୋଷୀ ତା'ହେଲେ ଦୋଷୀ ବିରୋଧରେ ସମସ୍ତ ମୁକଦ୍ଦମା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି |

{"id":86730}


ପୁଲୱାମା ହମଲାକୁ ନେଇ ପାକିସ୍ତାନ ଜାତିସଂଘରେ ମଧ୍ୟ ଗୁହାରି କରିଛି | ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଜାତିସଂଘରେ ଦାବି କରିଛନ୍ତି ଯେ, ଆତଙ୍କୀ ହମଲା ପରେ ଉଭୟ ଦେଶ ମଧ୍ୟରେ ବଢିଥିବା ଉଗ୍ର ରୂପକୁ କମ କରିବା ପାଇଁ ଶୀଘ୍ର ହସ୍ତକ୍ଷେପ କରିବା ଦରକାର | ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମୁଡ଼ କୁରେସି ଜାତିସଂଘର ମହାସଚିବଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଉଭୟ ଦେଶର ତିକ୍ତତା କାମ କରିବା ପାଇଁ ଚେଷ୍ଟା କରିବା ଦରକାର | ସ୍ଥିତି ଏବେ ଏମିତି ହୋଇଗଲାଣି ଯେ, ଭାରତ ପାକିସ୍ତାନ ସେନା ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି | ଅପରପକ୍ଷରେ ଭାରତ ପାକିସ୍ତାନର ଏହି ଆବେଦନକୁ ଖାରଜ କରିଛି | ଭାରତ କହିଛି ଯେ, କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ନାହିଁ |

{"id":86729}


ଚିଠିରେ ବୈଦେଶିକ ମନ୍ତ୍ରୀ ଲେଖିଛନ୍ତି ଯେ, ପୁରା ଯାଞ୍ଚ ନ କରି ଭାରତ ପାକିସ୍ତାନ ସରକାରଙ୍କୁ ହମଲା ପାଇଁ ଦୋଷ ଦେଉଛି | ସେ ଆହୁରି ଲେଖିଛନ୍ତି ଯେ, ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଛାଡିବା ପାଇଁ ସଂକେତ ଦେଇଛି | ଭାରତର ଏଭଳି ପଦକ୍ଷେପ ତ୍ରୁଟିଯୁକ୍ତ | କାଶ୍ମୀର ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ଏବଂ କାଶ୍ମୀରବାସୀଙ୍କ ସହ ଆଲୋଚନା କରିବା ଦରକାର ବୋଲି ଚିଠିରେ ଉଲ୍ଲେଖ ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.