ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ, ୨୪|୧୦:  ସୁପର ସଣ୍ଡେରେ ସୁପର ମୁକାବିଲା । ଟି-ଟ୍ବେଣ୍ଟି ବିଶ୍ବକପରେ ରବିବାର ଭାରତ ପାକିସ୍ତାନ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ । ଏହି ହାଇଭୋଲଟେଜ୍ ମୁକାବିଲା ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ବିଶ୍ବକପରେ ଭାରତ ବିପକ୍ଷରେ ଗୋଟିଏ ହେଲେ ମ୍ୟାଚ୍ ଜିତି ନଥିବା ପାକିସ୍ତାନ ମ୍ୟାଚ୍ ଜିତିବାକୁ ସବୁ ଦମ୍ ଲଗାଇବ । ହେଲେ ପାକିସ୍ତାନ ବିପକ୍ଷରେ ରେକର୍ଡ କରି ଆସିଥିବା ଭାରତ ପାକିସ୍ତାନର ଏହି ସ୍ବପ୍ନକୁ କେବେବି ପୂରଣ କରିବାକୁ ଦେବନି ।

ଏହି ହାଇ ଭୋଲଟେଜ୍ ମ୍ୟାଚକୁ ନେଇ ଦୁଇ ଦେଶର ଖେଳାଳି ଓ ଫ୍ୟାନ୍ ବେଶ ଉତ୍ସାହିତ । ଟି-ଟ୍ବେଣ୍ଟିଂରେ ଭାରତ ପାକିସ୍ତାନ ବିପକ୍ଷରେ ଛକା ମାରିବାକୁ ପ୍ରସ୍ତୁତ ଅଛି । ଅର୍ଥାତ୍ ଭାରତ ପାକିସ୍ତାନ ବିପକ୍ଷରେ ଟି-ଟ୍ବେଣ୍ଟିଂରେ ୬ଷ୍ଠ ବିଜୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ ବି କରିଛନ୍ତି । ଏଥର ଟି-ଟ୍ବେଣ୍ଟିଂ ବିଶ୍ବକପ୍ ରେ ଭାରତ ପଦାର୍ପଣ କରିବା ପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଯାକ ଅଭ୍ୟାସ୍ ମ୍ୟାଚ ଜିତିନେଇଛି । ତେଣୁ ଦଳର ଖେଳାଳି ବେଶ ପଜିଟିଭ୍ ଅଛନ୍ତି। ଫଟାଫଟ କ୍ରିକେଟ୍ର ଏହି ଫର୍ମାଟ୍ ରେ ବିରାଟଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବେଶ ଶକ୍ତିଶାଳୀ ଓ ଏଥରର ଦାବିଦାର ବୋଲି କୁହାଯାଉଛି ।

ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ , ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ , ଇଶାନ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ରାହୁଲ ଚହର , ଅଶ୍ବିନୀ, ଶାର୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ , ଯଶପ୍ରିତ ବୁମରା, ଭୁବନେଶ୍ବର କୁମାର, ମହମ୍ମଦ ସାମୀଙ୍କୁ ନେଇ ବିଶ୍ବସ୍ତରୀୟ ଖେଳାଳି ଅଛନ୍ତି । ରୋହିତ, ରାହୁଲ, ଇଶାନ କିଷାନ, କୋହଲି , ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ ଜବରଦସ୍ତ ଫର୍ମରେ ଅଛନ୍ତି । ତେଣୁ ମେନ୍ ଇନ୍ ବ୍ଲୁ ପାକିସ୍ତାନ ଉପରେ ଭାରି ପଡିବ ନିଶ୍ଚୟ । ତେବେ ବିରାଟ କେଉଁ ଶ୍ରେଷ୍ଠ ୧୧ଙ୍କ ସହ ପଡିଆକୁ ଓହ୍ଲାଇବେ ତାହା ଆସନ୍ତାକାଲି ଜଣା ପଡିବ ।

ସୂଚନାଯୋଗ୍ୟ, ୨୦୦୭ ପରେ ଭାରତ ମୋଟ ୬ ଥର ଟି-ଟ୍ବେଣିଂ ବିଶ୍ବକପ୍ ଖେଳିସାରିଥିଲେ ବି ଆଉ ଟ୍ରଫି ଜିତିନାହିଁ। ଭାରତ ୨୦୧୪ ରେ ରନର୍ସ ଅପ୍ ଓ ୨୦୧୬ ରେ ସେମିଫାଇନାଲ୍ ଖେଳିଥିଲା । ଭାରତ ଟି-ଟ୍ବେଣ୍ଟି ବିଶ୍ବକପରେ ଏପର୍ଯ୍ୟନ୍ତ ୩୩ ଟି ମ୍ୟାଚ୍ ଖେଳିଥିଲା ବେଳେ ସେଥିରୁ ୨୧ ଟି ବିଜୟ ପାଇଛି। ୧୧ ମ୍ୟାଚ୍ ହାରିଥିଲା ବେଳେ ଗୋଟିଏ ଡ୍ର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.