ଏଲଏସି ପରେ ଏଲଓସିରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ, ଭାରତ-ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ,୨୫/୦୨ : ଭାରତ ଓ ପାକିସ୍ତାନର ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ ହଟଲାଇନ୍ ଜରିଆରେ ପରସ୍ପର ସହ ଆଲୋଚନା କରିଛନ୍ତି । ଉଭୟ ପକ୍ଷ ମଧ୍ୟରେ ସୀମାରେ ଶାନ୍ତି ପ୍ରତିଷ୍ଠାକୁ ନେଇ ସହମତି ପ୍ରକାଶ ପାଇଛି । ନିୟନ୍ତ୍ରଣ ରେଖାର ସ୍ଥିତିକୁ ସମୀକ୍ଷା କରି ଉଭୟ ଦେଶର ସେନା ବୁଝାବଣା, ଯୁଦ୍ଧବିରାମକୁ ପାଳନ କରିବେ ବୋଲି କହିଛନ୍ତି । ଫେବ୍ରୁଆରୀ ୨୪-୨୫ ତାରିଖ ମଧ୍ୟରାତ୍ରରୁ ଏହା ଲାଗୁ ହୋଇସାରିଛି । ଏପରି ଭାବେ ଏଲଏସି ପରେ ଏଲଓସିରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଛି ଭାରତ ।

ଉଭୟ ଦେଶ ନିୟନ୍ତ୍ରଣ ରେଖା ଓ ଅନ୍ୟ ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ର, ସ୍ପଷ୍ଟ ଓ ସୌହାଦ୍ୟପୂର୍ଣ୍ଣ ବାତାବରଣ ବାବଦରେ ସମୀକ୍ଷା କରିଥିଲେ । ଡିଜିଏମଓ ସୀମାରେ ଶାନ୍ତି କାଏମ ରଖିବା ନେଇ ସହମତି ପ୍ରକାଶ କରିଥିଲେ । ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ହଟଲାଇନ୍ ମାଧ୍ୟମରେ ସମାଧାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଉଭୟ ପକ୍ଷ ମିଳିତ ଭାବେ ବୟାନ ଜାରି କରି ଏବାବଦରେ ସୂଚନା ଦେଇଛନ୍ତି ।

ନିକଟରେ ଭାରତ ଓ ଚୀନ ଏଲଏସିରେ ପ୍ୟାଙ୍ଗଙ୍ଗ ହ୍ରଦ ଫିଙ୍ଗର୍ ଏରିଆକୁ ନେଇ ବୁଝାବଣା ହୋଇଥିଲା । ଏହାପରେ ଚୀନ ସେନା ପଛକୁ ହଟିଥିଲେ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସଂସଦରେ ଏହି ବୁଝାବଣା ବାବଦରେ ଘୋଷଣା କରିଥିଲେ । ଏହାସହ ଅସ୍ତ୍ରର ଭାଷା ଏବେ ଆଉ ଚାଲିବ ନାହିଁ ବୋଲି କହିଥିଲେ ।

ଡିଜିଏମଓସ୍ତରୀୟ ବୈଠକ ପରେ ବି ଭାରତ ସୀମାରେ ସତର୍କ ରହିବ । କାରଣ ଅନୁପ୍ରବେଶ ଓ ଦୋମୁହାଁ ଚେହେରା ପ୍ରଦର୍ଶନ କରିବା ପାକିସ୍ତାନର ପୁରୁଣା ନୀତି ଅଟେ । ତେବେ ପାକିସ୍ତାନ ନିଜର ପୁରୁଣା ଅଭ୍ୟାସ ଛାଡୁଛି ନା ନାହିଁ ତାହା ଆଗକୁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.