ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ ଦେଲା ଭାରତ : ୫ ପାକ୍ ରେଞ୍ଜର ନିହତ, ଧ୍ୱଂସ ହୋଇଗଲା ଅନେକ ପାକିସ୍ତାନୀ ବଙ୍କର

Published By : Prameya-News7 Bureau | December 12, 2020 IST

ଶ୍ରୀନଗର ୧୨|୧୨:  ପାକିସ୍ତାନ ତରଫରୁ ବାରମ୍ବାର ହେଉଥିବା ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ ଦେଇଛି ଭାରତୀୟ ସେନା । ଜମ୍ମୁ-କାଶ୍ମୀରକୁ ଲାଗି ଥିବା ନିୟନ୍ତ୍ରଣ ରେଖାରେ ଗୁରୁବାର ରାତିରେ ସେନା ଦ୍ୱାରା ହୋଇଥିବା ପାଲଟା ଆକ୍ରମଣରେ ୫ ପାକ୍ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି । ଏହାସହ ୩ ଜଣ ପାକ୍ ରେଞ୍ଜର୍ସ ଆହତ ମଧ୍ୟ ହୋଇଛନ୍ତି । ପାକ୍ ସେନାର ଅନେକ ବଙ୍କର ଧ୍ୱଂସ କରିଛି ଭାରତ ।

ସେନାର ସୂଚନାନୁସାରେ, ଗୁରୁବାର ରାତିରେ ପାକ୍‌ ସେନା ପୁଞ୍ଚ ଜିଲା ଅନ୍ତର୍ଗତ ମାନକୋଟ ସେକ୍ଟରରେ ପ୍ରବଳ ଗୁଳିଗୋଳା ମାଡ କରିଥିଲା । ଭାରତୀୟ ସେନାର ପୋଷ୍ଟ୍ ସହ ସହ ସାଧାରଣ ଲୋକ ରହୁଥିବା ଅଞ୍ଚଳକୁ ଟାର୍ଗେଟ କରିଥିଲା । ଏହାଯୋଗୁ ଭାରତର ବେସାମରିକ ଅଞ୍ଚଳରେ କିଛି କ୍ଷୟକ୍ଷତି ହୋଇଥିଲା ।

ଏହାର ପ୍ରତିଶୋଧ ନେବାକୁ ଭାରତୀୟ ସେନା ପାକ୍‌ ସେନା ଉପରେ ଭୟଙ୍କର ଆକ୍ରମଣ କରିଥିଲା । ପ୍ରାୟ ୨ ଘଣ୍ଟା ଧରି ଉଭୟ ପକ୍ଷ ଭିତରେ ଭୀଷଣ ଗୁଳିଗୋଳା ବର୍ଷଣ ଚାଲିଥିଲା । ଭାରତୀୟ ସେନା ତୋପ ସହିତ ଟ୍ୟାଙ୍କ୍‌ ବିଧ୍ୱଂସୀ ମିସାଇଲ ବ୍ୟବହାର କରି ପାକ୍‌ ବଙ୍କରଗୁଡ଼ିକୁ ଟାର୍ଗେଟ କରିଥିଲା ଏଥିରେ ୫ ପାକ୍ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୨୦୨୦ ଜାନୁଆରୀ ମାସରୁ ଏଯାଏଁ ପାକ୍‌ ସେନା ଦ୍ୱାରା କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଭାରତର ୩୦ ଅଧିକ ନାଗରିକ ପ୍ରାଣ ହରାଇବା ସହିତ ୧୦୦ରୁ  ଅଧିକ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.