କରୋନା ସଂକ୍ରମିତ ସଂଖ୍ୟାରେ ଇଟାଲୀକୁ ଟପିଲା ଭାରତ : ୨୪ ଘଣ୍ଟାରେ ୯୮୮୭ ଆକ୍ରାନ୍ତ ଓ ୨୯୪ ମୃତ
6/06/2020 at 12:44 PM

ନୂଆଦିଲ୍ଲୀ ୬।୬: ଭାରତରେ ୨୪ ଘଣ୍ଟାରେ ୯ ହଜାର ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ କରୋନା ଆକ୍ରାନ୍ତ ଦେଶ ତାଲିକାର ଷଷ୍ଠ ସ୍ଥାନରେ ପହଞ୍ଚିଯାଇଛି ଭାରତ । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଇଟାଲୀକୁ ଟପିଯାଇଛି ଭାରତ । ତାଲିକାର ଶୀର୍ଷରେ ଆମେରିକା ଥିବା ବେଳେ ଦ୍ବିତୀୟରେ ବ୍ରାଜିଲ, ତୃତୀୟରେ ଋଷ, ଚତୁର୍ଥରେ ସ୍ପେନ ଏବଂ ପଞ୍ଚମ ସ୍ଥାନରେ ବ୍ରିଟେନ ରହିଛି ।
ବର୍ତ୍ତମାନ ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭ରେ ପହଞ୍ଚିଛି । ସେହିପରି ଭାରତରେ ମୋଟ୍ ମୃତକଙ୍କ ସଂଖ୍ୟା ୬ ହଜାର ୬୪୨ ହୋଇଛି । ଏବେ ଦେଶରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୧୫ ହଜାର ୯୪୨ଟି ଆକ୍ଟିଭ କେସ୍ ରହିଛି ।
ଏବେ ସୁଦ୍ଧା ସାରା ବିଶ୍ବରେ କରୋନାରେ ୩ ଲକ୍ଷ ୯୭ ହଜାର ୪୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୮ ଲକ୍ଷ ୩୯ ହଜାର ୪୮୭ ଜଣ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୩୩ ଲକ୍ଷ ୩୨ ହଜାର ୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ଲକ୍ଷ ୯ ହଜାର ୯୮୩ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ବି ୫୩ ହଜାର ୫୭୬ ଜଣ ଗୁରୁତର ଅଛନ୍ତି ।
ଆମେରିକାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଠାରେ ୧୯ ଲକ୍ଷ ୬୫ ହଜାର ୭୦୮ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୧ ହଜାର ୩୯୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ୭ ଲକ୍ଷ ୩୮ ହଜାର ୬୪୬ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୧୫ ହଜାର ୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି । ଆମେରିକା ପରେ ବ୍ରାଜିଲ ଓ ଋଷରେ କରୋନା କାୟା ମେଲାଉଛି ।