ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ : ୪୬.୧ ଓଭରରେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ, ନ୍ୟୁଜିଲାଣ୍ଡ-୨୧୧/୫
9/07/2019 at 6:14 PM

ମଞ୍ଚେଷ୍ଟର ୯|୭: ମଞ୍ଚେଷ୍ଟର ଓଲଡ୍ଟ୍ରାଫର୍ଡରେ ଖେଳାଯାଉଥିବା ଭାରତ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସେମିଫାଇନାଲ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ । ତେବେ ୪୬.୧ ଓଭରରେ ନ୍ୟୁଜିଲାଣ୍ଡ ୫ୱିକେଟ ହରାଇ ୨୧୧ ରନ କରିଥିବାବେଳେ ବର୍ଷାଯୋଗୁଁ ମ୍ୟାଚ ଅଟକିଯାଇଛି ।
ତେବେ ଉଭୟ ଦଳ ଗୋଟିଏ ଲେଖାଏଁ ପରିବର୍ତ୍ତନ ସହ ଆଜି ପଡିଆକୁ ଓହ୍ଲାଇଛନ୍ତି । ଭାରତ କୂଲଦୀପ ଯାଦବଙ୍କ ବଦଳରେ ଚହଲଙ୍କୁ ସାମିଲ କରିଛି । ସେହିପରି ନ୍ୟୁଜିଲ୍ୟାଣ୍ଡ ଆଜି ଟିମ୍ ସାଉଥିଙ୍କ ବଦଳରେ ଫର୍ଗସନ୍ଙ୍କୁ ଦଳକୁ ଆଣିଥିଲା । ପ୍ରଥମରୁ ହିଁ ଭାରତୀୟ ବୋଲର ନ୍ୟୁଜିଲ୍ୟାଣ୍ଡ ଉପରେ ଚାପ ସୃଷ୍ଟି କରିଥିଲେ । ଭୁବନେଶ୍ବର କୁମାର ଓ ଯଶପ୍ରିତ୍ ବୁମରା ସେମାନଙ୍କ ପ୍ରଥମ ଓଭର ମେଡେନ୍ ପକାଇଥିଲେ । ତେବେ ବୁମ୍ରା ତାଙ୍କ ଦ୍ବିତୀୟ ଓଭରରେ ଭାରତକୁ ଦେଇଥିଲେ ବ୍ରେକ୍ ଥ୍ରୁ । ଗପଟିଲ୍ଙ୍କୁ ସ୍ଲିପ୍ରେ କୋହଲିଙ୍କ ହାତରେ କ୍ୟାଚ କରାଇ ପାଭିଲିଅନ୍ ପଠାଇ ଦେଇଥିଲେ ।
ନ୍ୟୁଜିଲ୍ୟାଣ୍ଡର ରନ୍ ଗତି ମନ୍ଥର ହୋଇଯାଇଥିଲା । କିୱି ଟିମ୍ ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍ ହରାଇ ମାତ୍ର ୨୭ ରନ୍ କରିଥିଲା । ତେବେ ୱିଲିଅମ୍ସନ୍ ଓ ନିକୋଲସ୍ କ୍ରିଚ୍ରେ ଜମି ଆସୁଥିବା ବେଳେ ୨୦ ତମ ଓଭରରେ ଏମାନଙ୍କ ଯୋଡି ଭାଙ୍ଗି ଦେଇଥିଲେ ଜାଡେଜା । ନିକୋଲସଙ୍କୁ କ୍ଲିନ୍ ବୋଲଡ୍ କରି ପାଭିଲିଅନ୍କୁ ପଠାଇ ଦେଇଥିଲେ । ଅବଶ୍ୟ ଏହା ପୂର୍ବରୁ ୱିଲଅମସନ୍ଙ୍କ କ୍ୟାଚ୍ ନିଜ ବୋଲିଂରେ ଛାଡିଦେଇଥିଲେ ଚହଲ । ଯାହାକୁ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହାପରେ ରସ ଟେଲର ଓ ୱିଲିଅମସନ୍ ମିଶି ଜଗିରଖି ଖେଳିବା ସହ ବଡ ପାର୍ଟନର ସିପ୍ ବିଲ୍ଟ କରିଥିଲେ ।
ନ୍ୟୁଜିଲ୍ୟାଣ୍ଡ ୨୫ ଓଭରରେ ୨ ୱିକେଟ୍ ହରାଇ ୮୩ ରନ୍ ଓ ୩୦ ଓଭରରେ ୧୧୩ ରନ୍ରେ ପହଞ୍ଚିଥିଲା । ୭୯ ବଲ୍ ଖେଳି ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ କ୍ୟାପଟେନ୍ ୱିଲିଅମସନ୍ । ଉଭୟଙ୍କ ପାର୍ଟନରସିପ୍ ଭାଙ୍ଗିବାରେ ବେଶ ନାକେଦମ୍ ହୋଇଥିଲେ ଭାରତୀୟ ବୋଲର । ତେବେ ୩୫ ତମ ଓଭରରେ ୱିଲିୟମସନଙ୍କୁ ପାଭିଲିୟାନ ପଠାଇଦେଇଥିଲେ ଚହଲ। ୬୭ ରନ କରିଥିବା ବେଳେ ଜାଡେଜାଙ୍କ ହାତରେ ସେ କ୍ୟାଚ ଆଉଟ ହୋଇଥିଲେ। ଜିମ୍ମି ନିଶାମ ୧୮ଟି ବଲ ଖେଳି ଗୋଟିଏ ଚୌକା ସହାୟତାରେ ମାତ୍ର ୧୨ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଦୀନେଶ କାର୍ତ୍ତିକଙ୍କ ଦ୍ବାରା କ୍ୟାଚଆଉଟ ହୋଇଥିଲେ ।
ରସ ଟେଲର କିନ୍ତୁ ଦୃଢତାର ସହିତ ଭାରତୀୟ ବୋଲରଙ୍କୁ ମୁକାବିଲା କରୁଥିଲେ । ଏପଟେ କଲିନ ଡି ଗ୍ରାଣ୍ଡ ହୋମେ ଝୂଆଁଧାର ବ୍ୟାଟିଂ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ୧୦ଟି ବଲ ଖେଳି ୨ଟି ଚୌକା ସହାୟତାରେ ୧୬ରନ କରି ଭୁବନେଶ୍ବର କୁମାରଙ୍କ ବଲରେ ଧୋନୀଙ୍କ ଦ୍ବାରା କେଚ ଆଉଟ ହୋଇଥିଲେ । ପଞ୍ଚମ ୱିକେଟର ପତନ ସହ କିୱି ଦଳ ଦୁର୍ବଳ ଲାଗୁଥିଲା । କିନ୍ତୁ ରସ କ୍ରିଚରେ ରହି ଲମ୍ବା ସ୍କୋର କରିବାକୁ ଉଦ୍ୟ କରୁଥିଲେ । ଗ୍ରାଣ୍ଡହୋମ ଆଉଟ ହେବାପରେ ଆସିଥିଲେ ଟମ ଲାଥାମ । ତେବେ ୪୬.୧ ଓବରରେ ବର୍ଷା ଯୋଗୁଁ ମ୍ୟାଚ ସ୍ଥଗିତ ରହିଥିଲା ।