ଅଭାବୀ କିନ୍ତୁ ସଚ୍ଚୋଟ: ସ୍ତ୍ରୀ-ପିଲାଙ୍କୁ ଧରି ଚୋରି ବାଇକ୍‌ରେ ଘରେ ପହଞ୍ଚିଲେ, ତା ପରେ ମାଲିକଙ୍କୁ ଗାଡି ଫେରାଇ ଦେଲେ

Published By : Prameya-News7 Bureau | June 01, 2020 IST

କୋଏମ୍ବାଟୁର ୦୧।୦୬: ଚୋରି ହୋଇଥିବା ଜିନିଷ ମିଳିଗଲେ ଲୋକେ ବହୁତ ଖୁସି ହୁଅନ୍ତି। କିନ୍ତୁ ଯଦି ଚୋରି ହୋଇଥିବା ମୋଟର ସାଇକେଲ୍‌ ମିଳିଯାଏ ତେବେ ଖୁସି କହିଲେ ନସରେ। କାରଣ ମୋଟର ସାଇକେଲ୍‌ ହିଁ ଜୀବନ  ଜୀବିକା ସହିତ ପରିବହନର ମୁଖ୍ୟ ସ୍ରୋତ। ଜଣେ ଲୋକଙ୍କ ଚୋରି ହୋଇଥିବା ମୋଟର ସାଇକେଲ୍‌ କୋରିଅରରେ ମିଳିବା ପରି ଘଟଣା ତାମିଲନାଡୁର କୋଏମ୍ବାଟୁରରେ ଦେଖିବାକୁ ମିଳିଛି।

ଭି. ସୁରେଶ କୁମାର ଯିଏ ଜଣେ ଲେଦ୍‌ ଓ୍ଵାର୍କସପର ମାଲିକ। ତାଙ୍କର ଓ୍ଵାର୍କସପ୍‌ କୋଏମ୍ବାଟୁରର ସୁଲୁରରେ ରହିଛି। ସେ ସେହି ସମୟରେ ଖୁସିରେ ଝୁମି ଉଠିଲେ ଯେତେବେଳେ ତାଙ୍କ ପାଖକୁ ଶନିବାର ଏକ ପାର୍ସଲ ଏଜେନ୍ସି ପକ୍ଷରୁ ଏକ କଲ୍‌ ଆସିଥିଲା। ଏଜେନ୍ସି ଫୋନରେ କହିଥିଲା ଯେ, ଆପଣଙ୍କ ଠିକଣାରେ ଏକ ମୋଟର ସାଇକେଲ୍ ପଠାଯାଉଛି। ଯେତେବେଳେ ତାଙ୍କ ଠିକଣାରେ କୋରିୟର ପକ୍ଷରୁ ବାଇକ୍‌ ଆସି ପହଞ୍ଚିଲା, ସେ ଏହା ଦେଖି ବହୁତ ଖୁସି ହୋଇ ଯାଇଥିଲେ, କାରଣ ଏହା ତାଙ୍କର ମେ ୧୮ରେ ଚୋରି ହୋଇଥିବା ହିରୋ ସ୍ପ୍ଲେଣ୍ଡର ବାଇକ ଥିଲା।

ବାଇକ୍ ଚୋରି ହେବା ପରେ ସୁରେଶ କୁମାର ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ହେଲେ କୋଭିଡ୍-୧୯ ମୁକାବିଲାରେ ବ୍ୟସ୍ତ ଥିବାରୁ ସେମାନେ ଏବେ ବାଇକ୍‌ ଚୋରକୁ ଧରି ପାରିବେ ନାହିଁ ବୋଲି କହିଥିଲେ। ପୋଲିସଠୁ ନିରାଶ ହେବା ପରେ ସୁରେଶ ବହୁ ଚେଷ୍ଟା ପରେ ସ୍ଥାନୀୟ ଅଞ୍ଚଳରେ ଲାଗି ଥିବା ସିସିଟିଭି କ୍ୟାମେରାର କିଛି ଫୁଟେଜ୍‌ ପାଇଥିଲେ। ଫୁଟେଜ୍‌ରେ ତାଙ୍କ ବାଇକ୍ ଚୋରି ହେଉଥିବା ଦେଖିବାକୁ ମିଳିଥିଲା। ସେ ଭିଡିଓ ଫୁଟେଜ୍‌କୁ ନିଜ ମୋବାଇଲ୍‌ରେ ଟ୍ରାନ୍ସଫର କରି ଚୋରର ସନ୍ଧାନ ଲାଗି ପ୍ରୟାସ ଚଳାଇଥିଲେ।

ଶେଷରେ ବାଇକ୍‌ ଚୋର ପ୍ରଶାନ୍ଥ ନାମକ ଜଣେ ବ୍ୟକ୍ତି ବୋଲି ଜଣା ପଡିଥିଲା। ପ୍ରଶାନ୍ଥ ୨୪୦ କିମି ଦୂର ମାନାଗୁଡି ଟାଉନ୍‌ରୁ ଆସି କୋଏମ୍ବାଟୁରର ସୁଲୁର‌ରେ ସୁରେଶ କୁମାରଙ୍କ ଓ୍ଵାର୍କସପ୍‌ଠୁ ଅନେକ ଗଳି ଦୂରରେ ଥିବା ଏକ ଚା ଦୋକାନରେ କାମ କରୁଥିଲା। ଲକ୍‌ଡାଉନ୍‌ ହେବା ପରେ ଦୋକାନ ବଜାର ବନ୍ଦ ହେବାରୁ ପ୍ରଶାନ୍ଥ ରୋଜଗାର  ହରାଇଥିଲା। ଏହା ପରେ କୁମାରଙ୍କ ବାଇକ୍‌ ଚୋରି କରି ସେଥିରେ  ନିଜର ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ନିଜ ଗାଁକୁ ଚାଲି ଯାଇଥିଲା।

ସୁରେଶ କୁମାର ପଚରା ଉଚୁରା ପରେ ସ୍ପଷ୍ଟ ହେଲେ ଯେ ପ୍ରଶାନ୍ଥ ହିଁ ତାଙ୍କ ବାଇକ୍ ଚୋରି କରିଛି। ଅନ୍ୟପଟେ ପ୍ରଶାନ୍ଥ ପୋଲିସ ଝାମେଲାରେ ନ ପଡି ବାଇକ୍‌ ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲା। ସେ ମାନାଗୁଡିରେ ଏକ ପାର୍ସଲ୍ ଏଜେନ୍ସି ଜରିଆରେ ଆରସି ବୁକ୍‌ରୁ ଠିକଣା ପାଇବା ପରେ ବାଇକ୍‌କୁ ପଠାଇ ଦେଇଥିଲେ।

ପାର୍ସଲ ପାଇଁ ପ୍ରଶାନ୍ଥଙ୍କୁ ୧୩,୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଅନ୍ୟପଟେ ସୁରେଶ କୁମାରଙ୍କୁ ମଧ୍ୟ ନିଜର ଇନସ୍ୟୁରାନ୍ସ ପେପର ଘୋଷିତ ମୂଲ୍ୟ ୩୪୦୦୦ ଟଙ୍କା ହିସାବରେ ପାର୍ସଲ ଏଜେନ୍ସିକୁ ୧୪୦୦ ଟଙ୍କା ଦେବାକୁ ପଡିଛି। କୁମାର କହିଛନ୍ତି ଅନ୍ତତଃ ପକ୍ଷେ ଭଲ ଅବସ୍ଥାରେ ବାଇକ୍‌ଟି ମୋତେ ମିଳି ଯାଇଛି। ସେ କହିଛନ୍ତି ବାଇକ୍‌ ବିନା ମୋତେ ମୋର ଓ୍ଵାର୍କସପ୍‌କୁ ପୁଣି ଥରେ ଆରମ୍ଭ କରିବା ମୁସ୍କିଲ ଥିଲା। ବାଇକ୍ ପାଇବା ପରେ ସୁରେଶ ଥାନାରୁ କେସ୍ ପ୍ରତ୍ୟାହାର କରି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.