ଶୀଘ୍ର ଆରମ୍ଭ ହେବ ବିମାନ ସେବା ! ୧୩ ଦେଶ ସହିତ ଭାରତର ଆଲୋଚନା ଜାରି

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୦୮: ମହାମାରୀ କରୋନା କାରଣରୁ ସବୁ କ୍ଷେତ୍ର ପରି ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦେଶରେ କିଛି ବଛାବଛା ରୁଟ୍‌ ଏବଂ ବନ୍ଦେ ଭାରତ ମିଶନରେ ବିମାନ ଚଳାଚଳକୁ ବାଦ୍ ଦେଲେ ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହ ପରଠୁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ ରହିଛି। ଏବେ ବିମାନ ଚଳାଚଳ ପାଇଁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର କହିଛନ୍ତି ଭାରତ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଦ୍ଵିପାକ୍ଷିକ ଅସ୍ଥାୟୀ ବ୍ୟବସ୍ଥା ସ୍ଥାପନକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ, ଜାପାନ ଓ ସିଙ୍ଗାପୁର ସହିତ ୧୩ ଦେଶ ସହିତ ଆଲୋଚନା କରୁଛି। ଏହି ପରି ବ୍ୟବସ୍ଥା ଆଧାରରେ ଦୁଇ ଦେଶର ବିମାନ କମ୍ପାନୀ କିଛି ପ୍ରତିବନ୍ଧକ ସହିତ ଅନ୍ତରାଷ୍ଟ୍ରୀୟ ଉଡାଣ ସଞ୍ଚାଳନ କରି ପାରିବେ।

ଭାରତ ଜୁଲାଇରେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ୟୁଏଇ, କାତାର ଓ ମାଳଦ୍ଵୀପ ସହିତ ଏହି ପରି ରାଜିନାମା କରିଛି। ପୁରୀ କହିଛନ୍ତି ଏବେ ଆମେ ବିମାନ ଚଳାଚଳ ପାଇଁ ପ୍ରୟାସକୁ ଆଗକୁ ବଢାଉଛୁ ଏବଂ ଏହି ବ୍ୟବସ୍ଥା ଜାରି ରଖିବା ପାଇଁ ୧୩ ଦେଶ ସହିତ ଆଲୋଚନା ଜାରି ରହିଛି।

ଏହି ୧୩ ଦେଶରେ ଅଷ୍ଟ୍ରେଲିଆ ଇଟାଲୀ, ଜାପାନ, ନ୍ୟୁଜିଲାଣ୍ଡ, ନାଇଜେରିଆ, ବାହାରିନ, ଇସ୍ରାଏଲ, କେନିଆ, ଫିଲିପାଇନ୍ସ, ରୁଷ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ ସାମିଲ। ପୁରୀ  କହିଛନ୍ତି ପଡୋଶୀ ଦେଶରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ନେପାଳ ଓ ଭୂଟାନ ସହିତ ଏମିତି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.