ଗୋଟିଏ ଦେଶ ୪ ଭାକ୍ସିନ !
2/01/2021 at 7:17 PM

ନୂଆଦିଲ୍ଲୀ ୨।୧: କୋଭିଡ ଟିକାକୁ ନେଇ ସାରା ବିଶ୍ୱରେ ବିବାଦ ଦେଖାଦେଇଛି। ଟିକା ମିଳିବ କି ନା ସେ ନେଇ ଅନେକ ଦେଶ ଏବେ ବି ଚିନ୍ତାରେ ଅଛନ୍ତି। ଏଥିଲାଗି ଦେଶମାନେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏକ ସମନ୍ୱିତ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ବୋଲି ଦାବି କରୁଛନ୍ତି। ଏଥିରେ କରୋନା ମୁକାବିଲା ଲାଗି ଭାରତ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଗୋଟିଏ କି ଦୁଇଟା ନୁହେଁ ଚାରି ୪ଟା ଟିକା ସହ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିପାରେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଶନିବାର କହିଛନ୍ତି।
ଜାବଡେକର ଗଣମାଧ୍ୟମ ସହ ସାକ୍ଷାତ ଆଲୋଚନାରେ କହିଛନ୍ତି ଯେ ବ୍ରିଟେନ ଫାଇଜର ଓ ଆଷ୍ଟ୍ରେଜେନିକା ଭାକ୍ସିନକୁ ଦେଶରେ ମଞ୍ଜୁରି ଦେଇଛି। ଆମେରିକା ଫାଇଜରକୁ ଏମାର୍ଜେନ୍ସି ଉପଯୋଗ ନିମନ୍ତେ ମଞ୍ଜୁର କରିଛି। ହେଲେ ଭାରତ କଥା ଭିନ୍ନ, ଏଠାରେ ଏମାର୍ଜେନ୍ସୀ ଉପଯୋଗ ଲାଗି ପୂର୍ବରୁ ୩ଟି ଟିକା ଆବେଦନ ଥିବା ବେଳେ ଏବେ ଏକ ନୂଆ ଭାକ୍ସିନ ମଧ୍ୟ ମଞ୍ଜୁରି ନିମନ୍ତେ ଧାଡିରେ ଅଛି। ଏଣୁ ଦେଶରେ ଗୋଟିଏ କି ଦୁଇଟା ନୁହେଁ ଏକକାଳୀନ ଏକାଧିକ ଟିକାରେ ଟିକାକରଣ ହୋଇପାରେ ବୋଲି ଜାବଡେକର କହିଛନ୍ତି।
ଦେଶରେ ଏବେ ୬ଟି ଭାକ୍ସିନର କ୍ଲିନିକାଲ ଟ୍ରାୟଲ ଚାଲିଛି। ଏଥିରେ କୋଭିସିଲ୍ଡ ଓ କୋଭାକ୍ସିନ ଆଗରେ ଅଛନ୍ତି। ଅକ୍ସଫର୍ଡର ଆଷ୍ଟ୍ରାଜେନେକାର କୋଭିସିଲ୍ଡକୁ ଦେଶରେ ଜରୁରି ଉପଯୋଗ ଲାଗି ଶୁକ୍ରବାର ଏକ୍ସପର୍ଟ କମିଟି ମଞ୍ଜୁରି ଦେଇଛନ୍ତି। ଏହି ଟିକାକୁ ଏବେ କେବଳ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ( ଡିସିଜିଆଇ)ଙ୍କ ମଞ୍ଜୁରିକୁ ଅପେକ୍ଷା ରହିଛି।
ସେପଟେ କୋଭାକ୍ସିନକୁ ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ପ୍ରସ୍ତୁତ କରୁଛନ୍ତି। ତେବେ ଏହି ଟିକାର ଜରୁରି ଉପଯୋଗ ନିମନ୍ତେ ଏକ୍ସପର୍ଟ କମିଟି ଏପର୍ଯ୍ୟନ୍ତ ଅନୁମତି ଦେଇ ନାହାନ୍ତି। ଟିକା ସନ୍ଦର୍ଭରେ ଅଧିକ ତଥ୍ୟ ଦେବା ଲାଗି କମିଟି ପରାମର୍ଶ ଦେଇଛନ୍ତି। ଏହି ଦୁଇ ଭାକ୍ସିନ ବ୍ୟତୀତ ଦେଶରେ ଆହୁରି ଅନେକ ଭାକ୍ସିନ ନିର୍ମାତା ସେମାନଙ୍କ ଟିକାକୁ ନେଇ ଗବେଷଣା ଜାରି ରଖିଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ କ୍ଲିନିକାର ଟ୍ରାୟଲ ମଧ୍ୟ କରିନାହାନ୍ତି। ଏଥିରେ ଋଷିୟ ଟିକା ସ୍ପୁଟନିକ୍-ଭିର ରେଡିଜ ଲାବୋରେଟରୀ ମାନବୀୟ ପରୀକ୍ଷଣ ଆରମ୍ଭ କରିଛି।
ଏହା ଛଡା ଭାରତ ବାୟୋଟେକ୍, ସେରମ ଇନିଷ୍ଟିଚ୍ୟୁଟ୍ ଇଣ୍ଡିଆ ଓ ଫାଇଜର( ଯାହାର ଭାରତରେ କ୍ଲିନିକାଲ ଟ୍ରାଲ ହୋଇନି) ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଟିକାର ଜରୁରି ଉପଯୋଗ ନିମନ୍ତେ ଆବେଦନ କରିଛନ୍ତି। ଏହା ଛଡା ଏଲହାବାଦରେ କ୍ୟାଡିଲା ହେଲଥ୍ କେୟାର ଲିମିଟେଡ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲଜି ବିଭାଗ ସହ ମିସି ‘ଜିକୋଭ-ଡି’ ଟିକା ପ୍ରସ୍ତୁତ କରୁଥିବା ବେଳେ ସେରମ ଇନିଷ୍ଟିଚ୍ୟୁଟ୍ ନୋଭାଭାକ୍ସ ସହ ମିସି ‘’ଏନଭିଏକ୍ସ- କୋଭ ୨୩୭୩ ଭାକ୍ସିନ ତିଆରି କରୁଛନ୍ତି। ସେହିପରି ହାଇଦ୍ରାବାଦର ବାୟୋଲଜିକାଲ-ଇ ଏମଆଇଟିଙ୍କ ସହ ମିସି ଏକ ଟିକା ପ୍ରସ୍ତୁତ କରୁଛନ୍ତି। ପୁଣେସ୍ଥିତ ଜେନୋଭା ବାୟୋ ଫର୍ମାସ୍ୟୁଟିକଲସ୍ ଆମେରିକାର ଏଚଡିଟିଙ୍କ ସହ ମିସି ଏକ ଟିକା ପ୍ରସ୍ତୁତ କରୁଥିବାର ଜଣାପଡିଛି।