ସନ୍ଧାନ କଲା ଭାରତ, ଓଏନଜିସି ଖର୍ଚ୍ଚ କଲା ୩୦୦୦ କୋଟି, ଏବେ ଭାରତ ହାତରୁ ଖସି ଯିବାକୁ ବସିଛି ଇରାନର ଗ୍ୟାସ୍ ପ୍ରକଳ୍ପ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮।୧୦: ଭାରତ ଇରାନରେ ଏକ ବଡ ଖଣିଜ କ୍ଷେତ୍ରର ବିକାଶ ଓ ଗ୍ୟାସ୍ ଉତ୍ତୋଳନ ନେଇ ଦୀର୍ଘ ଦିନ ଧରି ଅଟକି ରହିଥିବା ପ୍ରକଳ୍ପକୁ ଚାହିଁ ରହିଛି। ଏହି ଗ୍ୟାସ୍‌ କ୍ଷେତ୍ରକୁ ଏକ ଭାରତୀୟ କମ୍ପାନୀ ହିଁ ସନ୍ଧାନ କରିଥିଲା ଏବଂ ଭାରତୀୟ କମ୍ପାନୀ ହିଁ ଟଙ୍କା ଖର୍ଚ୍ଚ କରିଥିଲା। ସୂତ୍ର ଅନୁଯାୟୀ ଇରାନ ପାରସ୍ୟ ଉପସାଗରର ଫରଜାଦ-ବି ପ୍ରକଳ୍ପକୁ ନିଜର ଏକ ଘରୋଇ କମ୍ପାନୀକୁ ଦେବାକୁ ନିଷ୍ପତ୍ତି ନେଇଛି। ଇରାନ ବର୍ତ୍ତମାନ ଆମେରିକାର କଠୋର ଆର୍ଥିକ ପ୍ରତିବନ୍ଧ ସମ୍ମୁଖୀନ ହେଉଛି।

ଓଏନଜିସି ବିଦେଶ ଲିମିଟେଡ୍ ନେତୃତ୍ଵରେ ଭାରତୀୟ କମ୍ପାନୀର ଏକ ସମୂହ ପ୍ରକଳ୍ପ ଉପରେ ଅଦ୍ୟାବଧି ୪୦ କୋଟି ଡଲାର ଅର୍ଥାତ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରି ସାରିଛି। ଫରଜାଦ-ବି ବ୍ଲକ ଗ୍ୟାସ୍‌ର ବିଶାଳ ଭଣ୍ଡାରକୁ ଭାରତୀୟ କମ୍ପାନୀ ଓଏନଜିସି ବିଦେଶ ଲି(ଓଭିଏଲ) ସନ୍ଧାନ କରିଥିଲା। ଓଭିଏଲ ସରକାରୀ କମ୍ପାନୀ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ(ଓଏନଜିସି) ଦ୍ଵାରା ଅଧିକୃତ। ଓଏନଜିସି ଏହି ବିଦେଶୀ ପ୍ରକଳ୍ପରେ ନିବେଶ ପାଇଁ ଏହାକୁ ତିଆରି କରିଥିଲା। ଓଭିଏଲ ଇରାନର ଏହି ଗ୍ୟାସ୍ କ୍ଷେତ୍ରର ବିକାଶରେ ୧୧ ଅରବ ଡଲାର ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା।

ଓଭିଏଲର ଏହି ପ୍ରସ୍ତାବ ଉପରେ ଇରାନ ବର୍ଷ ବର୍ଷ ଧରି କୌଣସି ନିର୍ଣ୍ଣୟ ନେଇନଥିଲା। ସୂତ୍ର ଅନୁଯାୟୀ ଇରାନ ନ୍ୟାସନାଲ ଇରାନିୟମ ତୈଳ କମ୍ପାନୀ(ଏନଆଇଓସି) ଚଳିତ ବର୍ଷ ଫେବୃଆରୀରେ ଫରଜାଦ ବି ପ୍ରକଳ୍ପର ଠିକା ଅନ୍ୟ କୌଣସି ଇରାନୀ କମ୍ପାନୀକୁ ଦେବାକୁ ଚାହୁଁଥିବା ଓଭିଏଲକୁ ଜଣାଇଥିଲା। ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।

ଏହି କ୍ଷେତ୍ରରେ ୨୧,୭୦୦ ଅରବ ଘନଫୁଟ ଗ୍ୟାସ୍ ଭଣ୍ଡାର ରହିଛି। ଏଠାରୁ ୬୦ ପ୍ରତିଶତ ତୈଳ ଉତ୍ତୋଳନ କରାଯାଇ ପାରିବ। ପ୍ରକଳ୍ପରୁ ପ୍ରତିଦିନ ୧.୧ ଅରବ ଘନଫୁଟ୍ ଗ୍ୟାସ୍ କଢା ଯାଇ ପାରିବ। ଓଭିଏଲ ଏହି ପ୍ରକଳ୍ପର ପରିଚାଳନରେ ୪୦ ପ୍ରତିଶତ ଭାଗିଦାରୀ ପାଇବାକୁ ଇଚ୍ଛା ପ୍ରକାଶ କରିଥିଲା। ଏଥିରେ ଓଭିଏଲ ସହିତ ଇଣ୍ଡିଆନ ଓଏଲ କର୍ପୋରେସନ(ଆଇଓସି) ଓ ଓଏଲ ଇଣ୍ଡିଆ ଲି(ଓଆଇଏଲ) ମଧ୍ୟ ସାମିଲ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.